ରାସ୍ତା ଖରାପ ଯୋଗୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକ ମାନଙ୍କ ଗମନାଗମନ ସୁବିଧା ପାଇଁ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିାଆଲି ନୀତି ଓ ଠିକାଦାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଯୋଜନା ସଠିକ୍ ଭାବେ ସଫଳ ହୋଇପାରୁନଥିବା ଦେଖାଯାଉଛି । କେଉଁଠି ରାସ୍ତା କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିଛି ତ କେଉଁଠି ରାସ୍ତା କାର୍ଯ୍ୟରେ ଅନୀୟମିତତା କରାଯାଉଥିବା ଅଭିଯୋଗ ମାନ ଆସୁଛି । କାର୍ଯ୍ୟ ଅବଧି ସରି ଯାଉଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବା ଦେଖାଯାଉଛି । ରାସ୍ତା କାର୍ଯ୍ୟ ଅଧପନ୍ତରିଆ ଯୋଗୁ ଗାଁଲୋକ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜରୁରୀ ପରିସ୍ଥିତିରେ ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳଟିଏ ଆସିପାରୁନାହିଁ । ଫଳରେ ଜରୁରୀ ସେବା ବ୍ୟାହତ ହେଉଛି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମରେ । ଏହି ଗ୍ରାମର ଏକା ବାରିକ(୫୫) ଗତ ୨ ବର୍ଷ ହେବ ଅସୁସ୍ଥତା କାରଣରୁ ଶର୍ଯ୍ୟାଶାୟୀ ଥିଲେ । ଗୁରବାର ସେ ଅତ୍ୟଧିକ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ହସପିଟାଲକୁ ନେବା ପାଇଁ ପରିବାରଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ମାତ୍ର ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଗାଁକୁ ଆସି ନପାରି ୧ କିମି ଦୂରରେ ରହିଥିଲା । ଫଳରେ ଗାଁର କିଛି ଯୁବକ ଓ ଛାତ୍ର ରୋଗୀଙ୍କୁ ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ଭଦ୍ରକ ଅଣାଯାଇ ଚିକିତ୍ସା କରାଯାଇଛି । ଅପରପକ୍ଷେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ଗ୍ରାମ୍ୟ ରାସ୍ତା କାର୍ଯ୍ୟ ଆରମ୍ଭ ହେବାକୁ ଥିଲା । ମାତ୍ର ଆଚରଣ ବିଧି ଲାଗୁ ହୋଇଯିବା ପରେ ଏହି କାର୍ଯ୍ୟ ଜୁନ୍ ଠାରୁ ଆରମ୍ଭ ହୋଇଥିଲା । କିଛି ଦିନ କାର୍ଯ୍ୟ ଚାଲିବା ପରେ କୌଣସି କାରଣ ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ଏବେ ଗତ କିଛି ଦିନ ହେବ ପୁନଶ୍ଚ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ଠିକାଦାର ଏହି ରାସ୍ତାର ଉଭୟ ପାଶ୍ୱର୍ରୁ ମାଟି ଉଠାଇ ରାସ୍ତାରେ ପକାଇବା ସହ କିଛି ବାଲି ମଧ୍ୟ ରାସ୍ତାରେ ପକାଇଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଲୋକ ମାନେ ଖାଲିପାଦରେ ମଧ୍ୟ ଯାଆସ କରିପାରୁନାହାନ୍ତି । ଏସମ୍ପର୍କରେ ଗ୍ରାମବାସୀମାନେ ସମ୍ପୃକ୍ତ ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଆଜି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ଗାଁ ଭିତରକୁ ଆସି ପାରିନାହିଁ । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟଲୋକେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ