ଦିବ୍ୟାଙ୍ଗ ଯୁବ କ୍ରିକେଟ ଖେଳାଳିଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା କ୍ରିକେଟ କିଟ ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ସୋର ବ୍ଲକର ଦିବ୍ୟାଙ୍ଗ ଯୁବ ପ୍ରତିଭା ଶ୍ରୀ ସୋମନାଥ ଦାସଙ୍କୁ ଆଜି ପ୍ରୋତ୍ସାହନ ସ୍ୱରୂପ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏକ କ୍ରିକେଟ କିଟ ପ୍ରଦାନ କରିଛନ୍ତି I ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ସାକ୍ଷାତ ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ରହିଥିଲେ I କ୍ରିକେଟ୍ ପଡ଼ିଆରେ ନିଜର ଚମତ୍କାର ପ୍ରଦର୍ଶନ ଏବଂ କ୍ରୀଡା ପ୍ରତି ଅଦମ୍ୟ ଉତ୍ସର୍ଗ ପାଇଁ ଶ୍ରୀ ଦାସଙ୍କୁ ଜିଲ୍ଲାପାଳ ଶ୍ରୀ ବିକାଶ ହୃଦୟରୁ ଅଭିନନ୍ଦନ ଜଣାଇଥିଲେ । କ୍ରିକେଟ୍ ଏବଂ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ମହାନ ଉଚ୍ଚତା ହାସଲ କରିବାକୁ ତାଙ୍କର ସାମର୍ଥ୍ୟ ଉପରେ ସେ ନିଜର ବିଶ୍ୱାସ ବ୍ୟକ୍ତ କରିଥିଲେ। ଶ୍ରୀ ଦାସ କେବଳ କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିନାହାଁନ୍ତି ବରଂ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ହୋଇପାରିଛନ୍ତି । ଶ୍ରୀ ଦାସଙ୍କର ସଫଳତା ଅନ୍ୟ କ୍ରୀଡ଼ାବିତ୍ ମାନଙ୍କୁ ନିର୍ଭୟରେ ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ଉତ୍ସାହିତ କରିବ ବୋଲି ଜିଲ୍ଲାପାଳ ଆଶା କରିଛନ୍ତି |ପ୍ରକାଶ ଥାଉ କି, ଆସନ୍ତା ଅକ୍ଟୋବର ୧୫ ରୁ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଜାତୀୟ ଦିବ୍ୟାଙ୍ଗ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ଦାସ ରାଜସ୍ଥାନ ଗସ୍ତ କରିବେ।


