ବଳରାମଗଡି ମାଛ ଧରା ପୋତାଶ୍ରୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କଲେ ସଦର ବିଧାୟକ
ବାଲେଶ୍ୱର, (ସରୋଜ ପଣ୍ଡା):ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପ୍ରାୟ ୧୦ବର୍ଷର ଅଚଳାବସ୍ଥା ପରେ ସମ୍ପ୍ରତି ଚାନ୍ଦିପୁର ସ୍ଥିତ ବଳରାମଗଡି ଠାରେ ବୃହତ ମାଛ ଧରା ପୋତାଶ୍ରୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ପାଇଁ ବିଭାଗୀୟ ଅଧିକାରୀଙ୍କ ଗହଣରେ ବଳରାମଗଡି ଠାରେ ପହଂଚିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ପାଇଁ ସେ ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟାଦେଶ ପାଇଥିବା ଠିକାଦାର ସଂସ୍ଥା ଛବିନ୍ଦ୍ର କୁମାର ପ୍ରଧାନଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ସମସ୍ତ ନିର୍ମାଣ କାର୍ଯ୍ୟରେ ଆବଶ୍ୟକୀୟ ଗୁଣବତ୍ତା ରକ୍ଷା ପାଇଁ ପରାମର୍ଶ ସହିତ ଏହା ଉପରେ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ସାମୁଦ୍ରିକ ମାଛ ବ୍ୟବସାୟ ପାଇଁ ବଳରାମଗଡି ମାଛଧରା ପୋତାଶ୍ରୟର ଗୁରୁତ୍ୱ ରହିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିରେ ଜଡିତ ହଜାର ହଜାର ମତ୍ସ୍ୟଜୀବି ଓ ବ୍ୟବସାୟୀଙ୍କ ଏହି ପୋତାଶ୍ରୟ ଏକ ବରଦାନ ସଦୃଶ ହେବ । ଏହି ପୋତାଶ୍ରୟର ସଫଳ କାର୍ଯ୍ୟକାରିତାରେ ବାଲେଶ୍ୱରର ଅର୍ଥନୀତିରେ ଆଶାତୀତ ଉନ୍ନତି ଦୃଶ୍ୟମାନ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ତେବେ ପୋତାଶ୍ରୟ ପାଇଁ ଉଦ୍ଦିଷ୍ଟ ଜମିରେ ରହିଥିବା ଜବରଦଖଲ ସମସ୍ୟାର ଉଚିତ ସମାଧାନ ପାଇଁ ସେ ମତ୍ସ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଜିଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବିଧାୟକ ଶ୍ରୀ ଦତ୍ତଙ୍କୁ ପ୍ରକଳ୍ପ କାର୍ଯ୍ୟକାରିତାର ବିଭନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ ।ସୂଚନା ଯୋଗ୍ୟ ଯେ, ୬୯.୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମାଣାଧୀନ ବଳରାମଗଡି ମତ୍ସ୍ୟ ଧରା ପୋତାଶ୍ରୟ ପାଇଁ ୫୫.୦୧ ଏକର ଜମି ଆବଂଟିତ ହୋଇଛି । ସମ୍ପ୍ରତି ୧୭.୧୧ ଏକର ଜମିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ପୋତାଶ୍ରୟର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ସାରିବା ନେଇ ଲକ୍ଷ୍ୟ ରହିଛି । ୩୨୭ ମେଟ୍ରିକ ଟନରୁ ଏବେ ସୁଦ୍ଧା ୧୦୦ମେଟ୍ରିକ ଟନ ଜେଟି ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପୋତାଶ୍ରୟ ସୀମା ପାଚେରୀ ନିର୍ମାଣ ସରିଛି । ଭୂବନେଶ୍ୱର ସ୍ଥିତ ମତ୍ସ୍ୟ ବିଭାଗର ଇଞ୍ଜିନିୟରିଂ ଡିଭିଜନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟକୁ ଚେନ୍ନାଇ ସ୍ଥିତ ଆଇଆଇଟିର ଦୁଇ ଜଣ ଇଞ୍ଜିନିୟର ତଦାରଖ କରୁଛନ୍ତି । ପୋତାଶ୍ରୟର ନିର୍ମାଣ କାର୍ଯ୍ୟ ଯୋଜନା ମୁତାବକ ଚାଲିଥିବା ବେଳେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ପ୍ରକଳ୍ପର କ୍ଷେତ୍ର ଅନୁଧ୍ୟାନ ପରେ ବିଧାୟକ ଶ୍ରୀ ଦତ୍ତ ଆଶାପ୍ରକାଶ କରିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ପର୍ଶୁରାମ ବେହେରା, ଅନନ୍ତ ନାୟକ, ମନ୍ମୟ ଦାସ, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ବିକାଶ ମାଇତି, ସୁରେଶ ମାଝୀ, ଅମିତ ମାଇତି, ଦେବଦତ୍ତ ମଣ୍ଡଳ, ସେଖ ସଦାମ, ସୁଦାମ ବେହେରା, ଶମ୍ଭୁନାଥ ନାୟକ ବାବୁଲା ଦାସ, ସେଖ ଇରସାଦ, ସଂଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।