ମିଳିତ ଆଞ୍ଚଳିକ କୃଷକସଭା ତରଫରୁ ବାଉଁଶବଣିଆ ଛକ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ରାସ୍ତାରୋକ

ନୀଳଗିରି,(ୱା ଏନ ଏସ):ନୀଳଗିରି ବଉଳଗଡ଼ିଆ ଦୀର୍ଘ ୧୪କି.ମି ରାସ୍ତାର ପୁନଃନିର୍ମାଣ, କୁଳଡିହା ଅଭୟାରଣ୍ୟ ସନ୍ନିକଟ ଜନବସତିକୁ ଇକୋସେନ୍ସେଟିଭ ଜୋନରୁ ବାଦଦେବା ଏବଂ ହାତୀ ପ୍ରାଦୃଭାବରୁ ଅଞ୍ଚଳବାସୀଙ୍କୁ ସୁରକ୍ଷାଦେବା ପ୍ରତିବାଦରେ ନୀଳଗିରି ଆଞ୍ଚଳିକ କୃଷକସଭା ତରଫରୁ ସୋମବାର ୯ଘଟିକା ଠାରୁ ଔପଦା ବ୍ଲକ୍ ବାଉଁଶବଣିଆ ଛକଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡି,ମଟର ଅଟକି ରହିଥିବା ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମିଳିତ ଆଞ୍ଚଳିକ କୃଷକସଭାର ସଭାପତି ରାମଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଧାରଣାରେ ଆଖପାଖ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ଯୋଗଦେଇ ଧାରଣା ଦେଇଥିଲେ। ଧାରଣାରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଅକ୍ଷୟ କୁମାର ଆଚାର୍ଯ୍ୟ ପ୍ରମୁଖ, ବରିଷ୍ଠ ଆଇନଜୀବି ଅମରେନ୍ଦ୍ର ପଟ୍ଟନାୟକ, ସିପିଆଇ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ବିଜୟ କୁମାର ସ ପ୍ରମୁଖ ଉପସ୍ଥିତ ରହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ବେଳେ ପ୍ରଶାସନର ଅବହେଳା ପାଇଁ ଜନସାଧାରଣଙ୍କୁ ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସୂଚନା ଦେଇଥିଲେ। ମୁଖ୍ୟତଃ ୨୦୨୨ମସିହାରେ ଉକ୍ତ ରାସ୍ତାର ନବୀକରଣ ପାଇଁ ପ୍ରସ୍ତାବକୁ ୨୦୨୩ମସିହାରେ ଅନୁମୋଦିତ ହୋଇ ୩୫କୋଟି ୮୦ଲକ୍ଷ ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏକ ବର୍ଷର ସମୟସୀମା ମଧ୍ୟରେ ୧୦ମିଟର ରାସ୍ତା ନିର୍ମାଣ ପାଇଁ ୨୦୨୪ମସିହା ଏପ୍ରିଲ ମାସ ଅବଧି ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ରାସ୍ତାକାମ ଅଧୁରା ହୋଇ ପଡିରହିଛି। ଫଳରେ ଉକ୍ତ ରାସ୍ତାଦେଇ ଯିବା ଆସିବା କରୁଥିବା ଯାତ୍ରୀ, ଯାତ୍ରୀବାହୀ ଯାନ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିରେ ଅନେକଙ୍କ ଜୀବନ ଯାଇଥିବା ମଧ୍ୟ ନଜିର ଅଛି। ଉତ୍ତର ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ପଞ୍ଚଲିଙ୍ଗେଶ୍ଵରକୁ ଆସୁଥିବା ପର୍ଯ୍ୟଟକ ମୁହଁ ଫେରାଉଥିବା ଜଣାଯାଇଛି। ସୂଚନା ମିଳିଛି ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେଥିବା ପୁରାତନ ଗଛଗୁଡିକ କାଟିବା ପାଇଁ ବନବିଭାଗ ଅନୁମତି ନଦେବା କାରଣରୁ ଠିକାଦାର ସଂସ୍ଥା ରାସ୍ତାକାମ ବନ୍ଦକରି ପଳାଇଯାଇଥିବା ବେଳେ ରାସ୍ତାରେ ଦିନରେ ଯିବାପାଇଁ ମଧ୍ୟ ଲୋକମାନେ ଡରୁଛନ୍ତି। ବାରମ୍ବାର ସ୍ଥାନୀୟ ପ୍ରଶାସନ,ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ନହେବାରୁ ଶେଷରେ ବାଧ୍ୟହୋଇ ରାସ୍ତାରୋକ ଓ ଅହୋରାତ୍ର ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସିପିଆଇ ନେତା ନିରଞ୍ଜନ ବାରିକ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନିହାର ଜେନା ରଞ୍ଜନ, ପ୍ରଭାକର ମହାପାତ୍ର, ଉମାକାନ୍ତ ମଲ୍ଲିକ, ଗଙ୍ଗାଧର ସାମଲ ପ୍ରମୁଖ ଉପସ୍ଥିତ ରହି ଧାରଣାରେ ସହଯୋଗ କରିଥିବା ବେଳେ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁରହିବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ