ରୋଡରୋମିଓ ସାଜିଛନ୍ତି ଅଣଛାତ୍ର କଲେଜ ଛାତ୍ରୀଙ୍କୁ ବାଟଚଲାଇ ଦେଉନାହାନ୍ତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଛପାଶ୍ୱର୍ କଜଳାସ୍ଥିତ ସମଗ୍ରଶିକ୍ଷା କାର୍ଯ୍ୟାଳୟକୁ ଯିବା ରାସ୍ତାଟି ଏବେ ରୋଡ ରୋମିଓଙ୍କ ଆଡ୍ଡାସ୍ଥଳି ପାଲଟିଛି । କେତେକ ଅଣଛାତ୍ର ଏହି ରାସ୍ତା ମଝିରେ ଛିଡା ହୋଇ କଲେଜ ଛାତ୍ରୀମାନଙ୍କୁ ବାଟ ଚଲାଇ ଦେଉନାହାନ୍ତି । ଏହି ବାଟଦେଇ କେବଳ ଯେ କଲେଜ ଛାତ୍ରୀ ଯିବା ଆସିବା କରୁଛନ୍ତି ତାହା ନୁହେଁ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଚାକିରୀ କରିଥିବା ମହିଳା କର୍ମଚାରୀ, ନିକଟରେ ଥିବା ଏକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଡାକଘରକୁ ଯାଉଥିବା ମହିଳା ଓ ଛାତ୍ରୀମାନେ, କଜଳା ମହାଦେବ ମନ୍ଦିରକୁ ଯାଉଥିବା ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ଏହି ରୋଡ ରୋମିଓମାନେ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଛନ୍ତି । ଏହାଦ୍ୱାରା ମହିଳା, ଯୁବତୀ ଓ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି । ଏନେଇ କେତେକ ଛାତ୍ରୀ ସାହସ କରି ପୋଲିସ ସହାୟତା ପାଇଁ ୧୧୨କୁ ଫୋନ କରିଥିଲେ । ଏହି ଫୋନକଲ ପାଇବା ପରେ ୧୧୨ କର୍ମଚାରୀ ଘଟଣା ସମ୍ପର୍କରେ କେନ୍ଦ୍ରାପଡା ଟାଉନ ଥାନାକୁ ଅବଗତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ । ଅପରାହ୍ନ ସାଢେ ୩ଟାରେ ୧୧୨କୁ ଫୋନକଲ କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ସାଢେ ୫ଟାରେ ପହଞ୍ଚିଥିଲା । ସେତବେଳକୁ ରୋଡରୋମିଓମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ପୋଲିସ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଥିଲା । ସଠିକ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ରୋଡରୋମିଓମାନେ ଧରାପଡି ଥାନାକୁ ଯାଇଥାନ୍ତେ । କିନ୍ତୁ ସେମାନେ ପଳାଇଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାର କୈାଣସି ମୂଲ୍ୟ ନାହିଁ । ଚୋର ଗଲା ପରେ ପୋଲିସ ପହଞ୍ଚିବା ଯାହା ଏକ୍ଷେତ୍ରରେ ପହଞ୍ଚିବା ତାହା ବୋଲି କେତେକ ଛାତ୍ରୀ କହିଥିଲେ । ପ୍ରତିଦିନ କଲେଜ ସମୟରେ ପୋଲିସ ଏହି ଅଞ୍ଚଳରେ ପାଟ୍ରୋଲିଂ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି । ଏସଂକ୍ରାନ୍ତରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଖବର ପାଇବା ପରେ ଥାନା ଗାଡି ଘଟଣାସ୍ଥଳକୁ ଯାଇଥିଲା କିନ୍ତୁ ପୋଲିସ ଗାଡିକୁ ଦେଖି ରୋଡରୋମିଓମାନେ ଫେରାର ହୋଇଯାଇଥିଲେ । ପ୍ରତିଦିନ ସେହି ଅଞ୍ଚଳରେ ପାଟ୍ରୋଲିଂ କରାଯିବ । ରୋଡରୋମିଓଙ୍କ ଗତିବିଧି ଲକ୍ଷ୍ୟ କରାଯିବା ସହ ଆବଶ୍ୟକ ସ୍ଥଳେ ଥାନାକୁ ଡକାଇ ତାଗିଦ କରାଯିବ । ଏଥିରେ ସେମାନେ ପରିବର୍ତ୍ତନ ନହେଲେ ସେମାନଙ୍କୁ ବାନ୍ଧି କରି କୋର୍ଟ ଚାଲାଣ କରାଯିବ ।