ନାଉଗାଁ ବ୍ଳକର ଶିଖରଘାଟରେ ୧୦ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବୋଇତ ବନ୍ଦାଣ ଉତ୍ସବ ଆମ ପରମ୍ପରା ଓ ସଂସ୍କୃତିର ଦିଗଦର୍ଶକ । ଏହି ଉତ୍ସବରେ ସମସ୍ତ ଯୁବ ପିଢି ସାମିଲ ହେବା ଉଚିତ । ଜଗତସିଂହପୁର ଜିଲ୍ଲା ନାଉଗାଁ ଅଂଂଚଳ କଳା,ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସାରା ରାଜ୍ୟରେ ଏକ ଆଗୁଆ ଅଂଚଳ ବୋଲି ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ଶିଖରଘାଟ ଠାରେ ଆୟୋଜିତ ଦଶମ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ତମ୍ବକାର ଡଃ.ହରପ୍ରସାଦ ଦାସ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅଧ୍ୟାପକ ପ୍ରସନ୍ନ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଙ୍କ ମଧ୍ୟରେ ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର, ଆଡଭୋକେଟ ବିଷ୍ଣୁ ପ୍ରସାଦ ସ୍ୱାଇଁ, ଜିଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ ସାହାଣୀ, ପୁରୀର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ପରିଷଦର ସଂପାଦକ ସରୋଜ କୁମାର ନାୟକ, ସମାଜସେବୀ ନିରଂଜନ ବେହୁରା ଆଦି ଯୋଗ ଦେଇ ଉକ୍ତ ମହୋତ୍ସବ ଉପରେ ଆଲୋକପାତ କରିଥିଲେ । ପ୍ରାତଃ ସମୟରେ ସାରେଇକୂଳ ଶ୍ରୀ ଅରବିନ୍ଦପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ସାଧବପୁଅ, ବୋହୁ ବେଶରେ ସୁସଜ୍ଜିତ ହୋଇଥିଲେ । ସଂକୀର୍ତନ ଓ କାଠି ଲଉଡି ଶୋଭାଯାତ୍ରାରେ ଦେବୀନଦୀ ପଠା ପର୍ଯ୍ୟନ୍ତ ଯିବା ପରେ ଆନୁଷ୍ଠାନିକ ଭାବେ ପରିଷଦର ସଦସ୍ୟ ଓ ଅତିଥିଙ୍କ ଦ୍ୱାରା ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ପରିଷଦର ମୁଖପତ୍ର ଆ-କା-ମା-ବୈ ଉନ୍ମୋଚନ ହୋଇଥିଲା । ପରିଷଦର ଉପସଭାପତି ନିରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ୱାରା ତଅପୋଇ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର କର୍ମକର୍ତା ସୁକାନ୍ତ କୁମାର ଲେଙ୍କା, ଅନସ୍ମିତା ବେହୁରା, ତ୍ରିଲୋଚନ ପାଢୀ, ହିମାଂଶୁ ମହାନ୍ତି, ପ୍ରସନ୍ନଜିତ ସାହୁ, ଜ୍ୟୋତିପ୍ରକାଶ ଲେଙ୍କା, ଚୌଧୁରୀ ବିନେଶ ଦାସ,ବିଭୁପଦାରବିନ୍ଦ ପରିଡା, ଅନାଦି ବାରିକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ପରିଚାଳନା କରିଥିଲେ । ଏହି ଉତ୍ସବ ଦେଖିବା ପାଇଁ ନାଉଗାଁ ବ୍ଳକ ବ୍ୟତୀତ ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସେହିପରି ବ୍ଳକର ତୁମ୍ବେଶ୍ୱର ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ସହିତ ଦେବାଳୟରେ ଯାଇ ଦେବାଦେବୀଙ୍କୁ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ