ଶତାୟୁ ପୁରାତନ ଆସିକା ହରିହର ହାଇସ୍କୁଲ ହେବ ଐତିହ୍ୟ ବିଦ୍ୟାଳୟ

ଆସିକା, (ଯୁଗାବ୍ଦ ନ୍ୟୁଜ):ଗତ ଏକ ଶତାଦ୍ଧୀରୁ ଅଧିକ କାଳ ଧରି ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ସମୃଦ୍ଧିର ଶିଖର ଦେଇପାରିଥିବା ଐତିହ୍ୟସଂପନ୍ନ ବିଦ୍ୟାଳୟ ଗୁଡିକର ବିକାଶ ହେବ । ପଞ୍ଚସଖାଙ୍କ ଭଳି ବିଭିନ୍ନି ମହାମନିଷୀଙ୍କ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟ ଆଜି ବି ଶତବର୍ଷର ଐତିହ୍ୟକୁ ନେଇ ଦଣ୍ଡାୟମାନ ହୋଇରହିଛି । ଏହିସବୁ ଐତିହ୍ୟସଂପନ୍ନ ସ୍କୁଲଗୁଡିକର ସ୍ମୃତି ଓ ଗୌରବକୁ ପୁର୍ନଜୀବିତ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଐତିହ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ । ଆସିକା ସହରର କେନ୍ଦ୍ରସ୍ଥଳରେ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ହରିହର ହାଇସ୍କୁଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସର୍ବପୁରାତନ ୫୧ଟି ବିଦ୍ୟାଳୟକୁ ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଆସିକା ସହରର ଅତି ପୁରାତନ ହରିହର ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ତାଲିକାରେ ସ୍ଥାନ ପାଇଥିବାରୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ସଚେତନ ନାଗରିକଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରର ସର୍ବପୁରାତନ ହରିହର ହାଇସ୍କୁଲର ଐତିହ୍ୟ, ସମୃଦ୍ଧି ଓ ପରମ୍ପରାକୁ ବଜାୟ ରଖିବା ସହ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ପ୍ରୟାସ ଅତି ପ୍ରଶଂସନୀୟ ହୋଇପଡିଥିଲା ବେଳେ ଓଡିଶା ସରକାରଙ୍କ ଏହି ପଦକ୍ଷେପ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ସୂର୍ଯ୍ୟନାରାୟଣ ଦାଶ, ନାରାୟଣ ବେହେରା, ରବିନ୍ଦ୍ରନାଥ ପୋଲାଇ, ସରୋଜ କୁମାର ଭଂଜ, ରାଘବ ସିୟ, ଦୁର୍ଗାଚରଣ ପଟ୍ଟନାୟକ, ନାରାୟଣ ହୋତା, ପ୍ରଶାନ୍ତ କୁମାର ଚର୍ଚ୍ଚି, ବାଲାଜୀ ରାଉତ, ରମେଶ ରାଉତ, ଶ୍ରୀନିବାସ ଭଂଜ, ଉମାଚରଣ ପ୍ରଧାନ, ଶାନ୍ତୁନୁ କୁମାର ରାଉତ, ଶରତ ଚନ୍ଦ୍ର ପ୍ରଧାନ, ଡାକ୍ତର ଶ୍ୟାମଘନ ବିଶ୍ୱାଳ, ବିପ୍ରଚରଣ ପାତ୍ରଙ୍କ ସମେତ ବହୁ ଦଳୀୟ ନେତା କୃତଜ୍ଞତା ଜ୍ଞାପନ କରିଛନ୍ତି । ଗତ କିଛି ମାସ ତଳେ ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ଶତାୟୁ ପୁରାତନ ହରିହର ହାଇସ୍କୁଲକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପିଏମ୍‍ଶ୍ରୀ ବିଦ୍ୟାଳୟରେ ସାମିଲ୍‍ କରାଯାଇଥିଲା ବେଳେ ବର୍ତ୍ତମାନ ପୁଣି ଐତିହ୍ୟ ବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛିି । ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଆସିକା ହରିହର ହାଇସ୍କୁଲକୁ ଇତିମଧ୍ୟରେ ୧୦୮ ବର୍ଷ ବିତି ଯାଇଥିଲା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଠାନ ପରିସରରେ ଥିବା ପଞ୍ଚସଖା ପାର୍କରେ ଉତ୍କଳ ପଣ୍ଡିତ ଗୋପବନ୍ଧୁ ଦାଶ, ଗୋଦାବରିଶ ମିଶ୍ର, ନୀଳକଣ୍ଠ ଦାଶ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଥିଲା ବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ପ୍ରାୟ ୪୨୦ ଜଣ ବିଦ୍ୟାର୍ଥୀ ପାଠ ପଢୁଥିଲା ବେଳେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉତ୍ତମ ଶିକ୍ଷାଦାନ ପ୍ରଣାଳୀ ଓ ମାର୍ଗଦର୍ଶନ ସାଙ୍ଗକୁ ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀଙ୍କ ପ୍ରେରଣାରେ ପରୀକ୍ଷାଫଳ ଶତପ୍ରତିଶତ ସଫଳତା ହେଉଥିବା ଜଣାପଡିଛି । ଆସିକା ହରିହର ହାଇସ୍କୁଲରୁ ଅତୀତରେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଭି.ଭି.ଗିରିଙ୍କ ସମେତ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ, ଡାକ୍ତର ପି.ତେଜେଶ୍ୱର ରାଓ, ହରିହର ସ୍ୱାଇଁ, ରାମଚନ୍ଦ୍ର ରଥ, ଜଷ୍ଟିସ୍‍ ବାସୁଦେବ ପାଣିଗ୍ରାହୀ, ଧରମତେଜାଙ୍କ ସମେତ ବହୁ ଛାତ୍ର ପାଠ ପଢି ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ନଜିର୍‍ ରହିଛି । ଓଡିଶା ସରକାରଙ୍କ ପକ୍ଷରୁ ଆସିକା ସହରର ଶତାୟୁ ପୁରାତନ ହରିହର ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ