ବିପଦସଙ୍କୁଳ ଅବସ୍ଥାରେ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକର ବିରିଡ଼ି ଗ୍ରାମରେ ବିପଦସଙ୍କୁଳ ତଥା ଖୋଲାମେଲା ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ପଡ଼ିରହିଛି। ଖୋଲାମେଲାରେ ଟ୍ରାନ୍ସଫର୍ମର ପଡ଼ିରହିଥିବାରୁ ଏହା ବିପଦକୁ ଆମନ୍ତ୍ରଣ କରୁଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଟ୍ରାନ୍ସଫର୍ମରରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ପ୍ରବାହିତ ହେଉଥିବା ବେଳେ ଏହା ମନୁଷ୍ୟ ଓ ବୁଲାପ୍ରାଣୀଙ୍କ ପାଇଁ କାଳ ସାଜିଛି। ପୂର୍ବରୁ ଅନେକ ଥର ଗାଈଗୋରୁମାନେ ଟ୍ରାନ୍ସଫର୍ମର ପରିସରକୁ ଘାସ ଖାଇବାକୁ ଆସି ମୃତ୍ୟୁ ଘଟିଥିବା ନଜିର ରହିଛି। ଉକ୍ତ ଟ୍ରାନ୍ସଫର୍ମର ଚାରିପଟେ ପାଚେରି ଅବା ତାରବାଡ଼ ଘେରାଇବା ପାଇଁ ବିଦ୍ୟୁତ୍ ବିଭାଗ ପାଖରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁ । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ବିରିଡ଼ି ଗ୍ରାମର ଏହି ଟ୍ରାନ୍ସଫର୍ମରରୁ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବିରିଡ଼ି ବଜାରରେ ଆର.ଡି ରାସ୍ତା ପାଖରେ ରହିଛି। ମାତ୍ର ଏହି ଉଚ୍ଚ ଶକ୍ତିସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି। ବିରିଡ଼ି ଗ୍ରାମବାସୀଙ୍କ ଅଭିଯୋଗଯେ- ଟ୍ରାନ୍ସଫର୍ମରଗୁଡ଼ିକ ଜନିୟମାନୁଯାୟୀ ନବସତିଠାରୁ ଦୂରରେ ବସାଇବା ସହ ଏହାର ଚାରିପାଖ ଆବଦ୍ଧ କରାଯିବା ଦରକାର। ଫଳରେ ବାହାରର କୌଣସି ଜୀବଜନ୍ତୁ ସେହି ପରିସରକୁ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଟ୍ରାନ୍ସଫର୍ମରଗୁଡିକ ମୁକୁଳା ପଡ଼ିଛି। ସେପରି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି କେତେବେଳେ ଯେ କାହାର ଜୀବନ ଯିବ ତାହା କହି ହେବନାହିଁ। ବିଦ୍ୟୁତ୍ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଟ୍ରାନ୍ସଫର୍ମରଗୁଡିକର ରକ୍ଷଣାବେକ୍ଷଣ ଠିକ୍ରେ ହେଉନାହିଁ। ଟ୍ରାନ୍ସଫର୍ମରରେ ଲତା ମାଡ଼ିଗଲାଣି । ତେଣୁ କମ୍ ଉଚ୍ଚରେ ଥିବା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ତୁରନ୍ତ ପାଚେରି ନିର୍ମାଣ ସହିତ ରକ୍ଷଣାବେକ୍ଷଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।