କଂଗ୍ରେସ ଅଫିସ ଗଳି ସୁଇପର କଲୋନୀ ସମେତ ବସ୍ତି ବାସିନ୍ଦାଙ୍କ ପାଇଁ ହେବ ଆବାସ ଫ୍ଲାଟ ନିର୍ମାଣ !
ବାଲେଶ୍ୱର, (ସରୋଜ ପଣ୍ଡା):ସହରାଂଚଳର ବସ୍ତିବାସିନ୍ଦା ତଥା ଭୂମିହୀନ ଲୋକଙ୍କୁ ସରକାରୀ ଜମି ଆବଂଟନ ସହିତ ଆବାସ ଯୋଜନାରେ ସାମିଲ ପୂର୍ବକ ଘରଟିଏ ଯୋଗାଇଦେବା ପାଇଁ ପୂର୍ବରୁ ବହୁ ଉଦ୍ୟମ ହୋଇଥିଲେ ବି ସେଥିରେ ଆଖିଦୃଶିଆ ସଫଳତା ମିଳିପାରିନାହିଁ । ପୂର୍ବ ସରକାର ଅମଳରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ କେବଳ ଜମି ଅଧିକାର ପ୍ରମାଣପତ୍ର ବଂଟନ ମାଧ୍ୟମରେ ଅଭିଯାନ ଅଧାରେ ଲଟକିଯାଇଛି । ଏଥିରେ ହିତାଧିକାରୀଙ୍କ ସଂଖ୍ୟା ତୁଳନାରେ ସହର ତଥା ଆଖପାଖ ଅଂଚଳରେ ବାସପୋଯୋଗୀ ସରକାରୀ ଜମିର ଅଭାବ ବାଧକ ହୋଇଛି । ତେବେ ଏହି ସମସ୍ୟାର ନିରାକରଣ ପାଇଁ ବିଭିନ୍ନ ରାଜ୍ୟରେ ବହୁତଳ ଫ୍ଲାଟ ନିର୍ମାଣ ସହ ବସ୍ତିବାସିନ୍ଦାଙ୍କୁ ଘର ଆବଂଟନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଫ୍ଲାଟ ନିର୍ମାଣ ଦ୍ୱାରା ଭୂବନେଶ୍ୱରରେ ମଧ୍ୟ ଏହିଭଳି ଯୋଜନାର ସୁଫଳ ମିଳିଥିବା ଲକ୍ଷ୍ୟ କରାଯାଇଛି । ସେହିକ୍ରମରେ ବାଲେଶ୍ୱରର ବିଭିନ୍ନ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟରେ କାର୍ଯ୍ୟକାରୀ ସରକାରଙ୍କ ନିୟମାବଳୀ ସମ୍ପର୍କରେ ସଦର ବିଧାୟକ ମାନସ କୁମାର ଦତ୍ତ ବିଧାନସଭାର ପ୍ରଶ୍ନକାଳରେ ତଥ୍ୟ ମାଗିଥିଲେ । ଅନ୍ୟ ରାଜ୍ୟ ଭଳି କମ୍ ଜମିରେ ଅଧିକ ସଂଖ୍ୟକ ଘର ନିର୍ମାଣ ଆଂବଟନ ନେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିୟମାବଳୀ ଅଥବା ପଦକ୍ଷେପ ସମ୍ପର୍କରେ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ । ବିଶେଷ କରି ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ କଂଗ୍ରେସ ଅଫିସ ଗଳି ସ୍ଥିତ ସୁଇପର କଲୋନୀରେ ବସବାସ କରୁଥିବା ତଥା ପୌରାଂଚଳର ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଭୂମି ଓ ବାସଗୃହହୀନ ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଫ୍ଲାଟ ଯୋଜନାରେ ସାମିଲ ସହ ଗୃହ ଆବଂଟନ ଏବଂ ସମ୍ପୃକ୍ତ କଲୋନୀକୁ ଆମ୍ବେଦକର କଲୋନୀ ନାମରେ ନାମିତ ପାଇଁ ଶ୍ରୀ ଦତ୍ତ ଦାବି ଜଣାଇଥିଲେ । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ସହରାଂଚଳରେ ଭୂମିହୀନଙ୍କ ପାଇଁ ସରକାରୀ ଜମିର ଅଭାବ ରହିଛି । ସେଥିପାଇଁ ଅନ୍ୟ ରାଜ୍ୟଙ୍କ ଭଳି ଓଡିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫ୍ଲାଟ ନିର୍ମାଣ ମାଧ୍ୟମରେ ଗରିବ ଲୋକଙ୍କୁ ଗୃହ ଆବଂଟନର ବ୍ୟବସ୍ଥା ରହିଛି । ଏହି ଯୋଜନା ଅନ୍ତର୍ଗତ ସହଭାଗିତାରେ ସୁଲଭ ଘର ନିର୍ମାଣ ଏବଂ ଉପ-ଯୋଜନା ଅନ୍ତର୍ଗତ ବସ୍ତିଅଂଚଳର ପୁନଃର୍ବିକାଶ ଦ୍ୱାରା କମ୍ ଜାଗାରେ ସଂଖ୍ୟାଧିକ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦେବା ନେଇ ସରକାରୀ ନିୟମ ରହିଛି । ତେବେ ବାଲେଶ୍ୱର ପୌରାଂଚଳରେ ଉପଯୁକ୍ତ ବାସପୋଯୋଗୀ ସରକାରୀ ଜମି ଉପଲବ୍ଧ ହେଲେ କଂଗ୍ରେସ ଅଫିସ ଗଳି ସୁଇପର କଲୋନୀର ବାସିନ୍ଦାଙ୍କୁ ଯୋଗ୍ୟତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫ୍ଲାଟ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି ।