ଶ୍ରୀଜଗନ୍ନାଥ ଭକ୍ତି ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ, ଓଡ଼ିଶା, ଭୁବନେଶ୍ୱର ଆନୁକୂଲ୍ୟରେ କିସ୍ ଶ୍ରୀବାଣୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ପରିସରରେ ‘ଶ୍ରୀଜଗନ୍ନାଥ ଭକ୍ତି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭକ୍ତି ସମ୍ମିଳନୀକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାରାଜ ଉଦ୍ଘାଟନ କରିଥିଲେ । ବାବା ସଚିଦାନନ୍ଦ ଦାଶ ମହାରାଜ କିସ୍ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ, ଡଃ ହରେକୃଷ୍ଣ ଶତପଥୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ଚିନ୍ମୟ ମିଶନ ପଟିଆଲା ପଞ୍ଜାବ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୦ ମନ୍ଦିରର କର୍ମକର୍ତ୍ତା ସମେତ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାରକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉର୍ଦ୍ଧ୍ୱ ଭକ୍ତ ଯୋଗଦେଇ ଜଗନ୍ନାଥ ଜୟଧ୍ୱନି ଦେଇଥିଲେ । ଉକ୍ତ ସମ୍ମିଳନୀକୁ ସଂସ୍ଥାର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ସଞ୍ଚାଳନ ଓ ସଂଯୋଜନା କରିଥିଲେ ଓ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।