ମହାରାଜ ବୈକୁଣ୍ଠନାଥ ଦେବଙ୍କ ସମାଜକୁ ଅବଦାନ ସଂପର୍କରେ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ମହାରାଜା ବୈକୁଣ୍ଠନାଥ ଦେବଙ୍କ ବାଲେଶ୍ୱର ତଥା ଓଡ଼ିଶାକୁ ଅବଦାନ ସଂପର୍କରେ ଏକ ମିଳିତ ଆଲୋଚନାଚକ୍ର ସ୍ଥାନୀୟ ନୃତ୍ୟସଂଗୀତ କଳା ମନ୍ଦିର ସଭାଗୃହରେ ବୁଧବାରଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର ଆବାହକ ବରିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ଦାଶ ମହାରାଜା ବୈକୁଣ୍ଠନାଥ ଦେବଙ୍କ ବହୁମୁଖି ସମାଜସେବା କାର୍ଯ୍ୟକୁ ବାଲେଶ୍ୱରବାସୀ ଏବଂ ଓଡ଼ିଶାବାସୀଙ୍କୁ ଅଗୋଚର ଥିବାର ଦର୍ଶାଇଥିଲେ । ପୂଜ୍ୟପୂଜା ଆମର ପରମ୍ପରା ହୋଇଥିଲାବେଳେ ବୈକୁଣ୍ଠନାଥ ଦେବଙ୍କ ପ୍ରତି ଅଦ୍ୟାବଧି ଅବିଚାର ହୋଇଥିବାରୁ ଆବାହକ ଶ୍ରୀ ଦାଶ କ୍ଷୋଭ ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ । ଆଲୋଚନାରେ ଡ. ଅରବିନ୍ଦ ଗିରି, ଗିରିଶ ଚନ୍ଦ୍ର ଦାଶ, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ହେମେନ୍ଦ୍ର ମହାପାତ୍ର, ଗୋପାମୁଦ୍ରା ମହାପାତ୍ର, ପ୍ରାକ୍ତନ ବିଧାୟକ ସ୍ୱରୂପ ଦାସ, ଅନ୍ତର୍ଯ୍ୟାମୀ ପ୍ରଧାନ, ଲକ୍ଷ୍ମୀନାରାୟଣ ଘୋଷ, ଗୌରାଙ୍ଗ ପାଣିଗ୍ରାହୀ, କମଳାକାନ୍ତ ଦାଶ, ଦାମୋଦର ନାୟକ ଓ ମହାରାଜାଙ୍କ ଅଣନାତି ସୁଜିତ ଦେବ ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।ମହାରାଜ ବୈକୁଣ୍ଠନାଥ ଦେବଙ୍କର ସମାଜର ବିଭିନ୍ନ କ୍ଷେତ୍ରକୁ ଅବଦାନ ସଂପର୍କରେ ରାଜ୍ୟସରକାରଙ୍କୁ ଅବଗତ କରାଇ ସରକାରୀ ସ୍ତରରେ ମହାରାଜଙ୍କର ଜନ୍ମଦିନ ଓ ମହାପ୍ରୟାଣ ଦିବସକୁ ପାଳନ କରିବା ସହ ଭୁବନେଶ୍ୱର ଓ ବାଲେଶ୍ୱରର ପ୍ରମୁଖ ସ୍ଥାନରେ ତାଙ୍କର ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଏବଂ ମହାରାଜାଙ୍କ ଭୂସଂପତ୍ତି ଦାନରେ ବର୍ତ୍ତମାନ ବାରବାଟି ବାଳିକା ବିଦ୍ୟାଳୟ ଠାରେ ନିଜ ମା’ଙ୍କ ନାମରେ ପ୍ରତିଷ୍ଠା କରିଥିବା ‘ରାଣୀ ଶ୍ରୀମତୀ ଦେଇ ଦାତବ୍ୟ ଚିକିତ୍ସାଳୟ’ ସ୍ମୃତିରକ୍ଷା ପାଇଁ ପ୍ରସ୍ତାବ ଦେବାକୁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି । କମିଟିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୟନ କରାଯାଇଛି । ଆସନ୍ତା ସପ୍ତାହରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସଂସ୍କୃତିବିଭାଗ ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଲୋଚନାଚକ୍ରରେ ବାଲେଶ୍ୱରର ବହୁ ବରିଷ୍ଠ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସୁଜିତଦେବ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ