ଜାମିତିରା ଗ୍ରାମରେ ରାସ୍ତା ନିର୍ମାଣ ନେଇ ପଲ୍ଲୀସଭା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜାମିତିରା ଗ୍ରାମରେ ମଧୁରଗଡିଆ ରୁ କୁମ୍ଭକରାଳ ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି। ଅଁରା ପଞ୍ଚାୟତର ସରପଞ୍ଚ ମମତା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପଲ୍ଲୀସଭାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ କରୁଣାକର ନନ୍ଦ, କନିଷ୍ଠଯନ୍ତ୍ରୀ କ୍ଷୀରୋଦ ବେହେରା, ନନ୍ଦିପଦା ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗଦେଇ ମଧୁରଗଡିଆ ରୁ କୁମ୍ଭକରାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଲୋକଙ୍କ ମତାମତ ଲୋଡିଥିଲେ। ଶେଷରେ ଗ୍ରାମ୍ୟ ଜଂଗଲ କିସମ ପରିବର୍ତ୍ତନ କରାଯାଇ ସଂରକ୍ଷଣ ମୁକ୍ତ କରିବାକୁ ବନ ବିଭାଗକୁ ଜଣାଇବାକୁ ନିଷ୍ପତି ହୋଇଥିଲା। ଏହି ପଲ୍ଲୀସଭାର ଉଭୟ ଗ୍ରାମର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ରାସ୍ତାଟି ନିର୍ମାଣ ଚାଲିଥିବା ବେଳେ ଜାମିତିରା ଓ ମଧୁର ଗଡିଆ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏପରିକି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି। ମାନ୍ୟବର ଅଦାଲତ ବିବାଦର ସମାଧାନ କରାଯିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ତହସିଲ ପକ୍ଷରୁ ସମସ୍ତ ମାପଜୁପ ହୋଇଥିଲା ବେଳେ ରାସ୍ତା ନିର୍ମାଣ ହେବାକୁ ଥିବା ଜମିରେ କୌଣସି ଗଛ ନଥିବାରୁ ରାସ୍ତା ନିର୍ମାଣ ହେଲେ କିଛି ଜଂଗଲ ନଷ୍ଟ ହେବାର ନାହିଁ ବୋଲି ଗ୍ରାମବାସୀ ମାନେ ମତ ରଖିଥିଲେ। ଏହି ରାସ୍ତା ନିର୍ମାଣ ହେଲେ ଏ ଅଞ୍ଚଳର ୮ଟି ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ।


