ମୁରୁସୁଆଁ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ଘଟଣା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ଗ୍ରାମପଞ୍ଚାୟତ ମୁରୁସୁଆଁ ଅଙ୍ଗନୱାଡ଼ି କେନ୍ଦ୍ରର ତାଲା ଖୋଲି ଥିବା ଜଣା ପଡିଛି । ପ୍ରଶାସନ ତଥା ପୋଲିସର ତାଗିଦ ପରେ ତାଲା ପକାଇ ଥିବା ବ୍ୟକ୍ତି ଆଜି କାନ ମୁଣ୍ଡ ଆଉଁସି କେନ୍ଦ୍ରର ତାଲା ଖୋଲିଥିବା ଜଣା ପଡ଼ିଛି । ଫଳରେ କେନ୍ଦ୍ରର ଅଚଳାବସ୍ଥା ସ୍ଵାଭାବିକ ହୋଇଛି । ସୂଚନାଯୋଗ୍ୟଯେ ବୁଧବାର ଦିନ ମୁରୁସୁଆଁ ଗ୍ରାମର ବିଜେପି ନେତାମାନେ ୩ୟ ସ୍ଥାନରେ ଥିବା ଜଣେ ମହିଳାଙ୍କୁ ହେଲପର ଭାବେ ନିଯୁକ୍ତି ଦେବାକୁ ନେଇ ହୋ ହାଲା କରି ଶିଶୁ ମାନଙ୍କୁ କେନ୍ଦ୍ରରୁ ଟାଣି ବାହାର କରି ଦେଇ କେନ୍ଦ୍ରରେ ଚାବି ପକାଇ ଥିଲେ । ଫଳରେ ମଧ୍ୟାହ୍ନ ଭୋଜନ କରିବାକୁ ଅପେକ୍ଷା କରିଥିବା ଶିଶୁଙ୍କୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ନିରାଶରେ ଭୋକ ଉପବାସରେ ଶିଶୁ ମାନେ ଘରକୁ ଫେରି ଯାଇଥିଲେ । ଏ ନେଇ ଅଙ୍ଗନୱାଡ଼ି ଦିଦି ଓ ସହାୟିକା ପଳାଶପଙ୍ଗା ଫାଣ୍ଡିରେ ଏତଲା ଦେବା ସହ ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପଳାଶପଙ୍ଗା ଫାଣ୍ଡି ଅଧିକାରୀ ସୂର୍ଯ୍ୟ ନାରାୟଣ ରାଉତରାୟଙ୍କ ଉଦ୍ୟମ କ୍ରମେ ଅଭିଯୁକ୍ତ ମାନେ ଗୁରୁବାର ଦିନ ସକାଳୁ ସକାଳୁ କେନ୍ଦ୍ରକୁ ଯାଇ ତାଲା ଖୋଲି ଥିଲେ ।