କୃଷିଋଣ ଛାଡ ଆଦି ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଗତ ଲଘୁଚାପଜନିତ ବର୍ଷାରେ ନାଉଗାଁ ବ୍ଳକରେ ପାଚିଲା ଧାନ କିଆରିରେ ପାଣି ଜମି ରହିଛି । ଚାଷୀ ଧାନ କାଟି ବିଲରେ ପକାଇଥିଲେ ମଧ୍ୟ ଘରକୁ ଆଣି ପାରୁନାହାନ୍ତି । ଯାହାଫଳରେ ଧାନ ଗଜା ହେବାକୁ ଲାଗିଲାଣୀ । ଲଘୁଚାପଜନିତ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଧାନକୁ ତଦନ୍ତ କରାଯାଇ ଚାଷୀକୁ କ୍ଷତିପୁରଣ ଦେବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ମୁତାବକ ଗତ ଅକ୍ଟୋବର ମାସରେ ହୋଇଥିବା ବାତ୍ୟା ଦାନାରେ କିଛି ମାତ୍ରାରେ ଥୋଡ ଧାନ ନଷ୍ଟ ହୋଇଥିଲା । ଯେତିକି ଧାନ ରହିଥିଲା ଗତ ଡିସେମ୍ବର ୨୧ ଓ ୨୨ ତାରିଖରେ ଲଘୁଚାପ ଜନିତ ବର୍ଷାରେ ତାହା ଗଜା ହେବାକୁ ବସିଲାଣି । ଲଘୁଚାପ ଜନିତ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଚାଷୀକୁ କୌଣସି ସତର୍କ ସୂଚନା ପ୍ରଦାନ କରାଗଲାନାହିଁ । ଯାହାଫଳରେ ଚାଷୀର ଅମଳ ହେବାକୁ ଥିବା ଧାନ ଗଜା ହୋଇଛି । ବିଭିନ୍ନ ସୋସାଇଟ,ବ୍ୟାଙ୍କ ଆଦିରୁ ଋଣ କରି ଚାଷୀ ଧାନ ଚାଷ କରିଥିଲେ । ବର୍ଷକର ଅମଳ ଧାନରେ ଝିଅ ବିଭାଘର, ପିଲାଙ୍କ ପାଠପଢା, ମେଡିକାଲ ଖର୍ଚ୍ଚ, ବର୍ଷକର ଆହାର ସହିତ ଚାଷୀ ନିଜର ଗୁଜୁରାଣ ମେଂଟାଇ ଥାଏ । କିନ୍ତୁ ଋଣ ସହିତ ପରିଶ୍ରମ କରି ଧାନ ଖଳାକୁ ଆଣିବା ବେଳକୁ ତାହା ଗଜା ହେବା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । ତେଣୁ ପୁରୁଣା ରିଲିଫ କୋଡ ଅନୁସାରେ ସରକାର ଯଦି ସାହାର୍ଯ୍ୟ ପ୍ରଦାନ କରନ୍ତି ତେବେ ତାହା ଚାଷୀକୁ ଭଣ୍ଡାଇବା ପରି ମନେ ହେବ । ପୁରୁଣା ରିଲିଫ କୋର୍ଡକୁ ସଂଶୋଧନ କରି ପଡୋଶୀ ରାଜ୍ୟ ପ୍ରଦାନ କରୁଥିବା ଆର୍ଥିକ ସାହାଯ୍ୟ ପରି ଚାଷୀଙ୍କୁ ନୂତନ ସଂଶୋଧିତ ରିଲିଫ କୋର୍ଡରେ ହେକ୍ଟର ପିଛା ସାହାଯ୍ୟ ପ୍ରଦାନ କରାଯାଉ । ଯଦି ଏହା କରା ନଯାଏ ତେବେ ହଜାର ହଜାର ଚାଷୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ । ସେହିପରି କ୍ଷତି ହୋଇଥିବା ପନିପରିବା, ରବି ଜାତୀୟ ଫସଲ ପାଇଁ ବିହନ ଯୋଗାଇ ଦେବା ସହ ଚାଷୀଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କ଼ରାଯାଉ । ଆଗକୁ ଆହୁରି ବର୍ଷା ହେବାର ସୂଚନା ମିଳୁଛି । ତେଣୁ ଏପରି ପାଣି ପାଗରେ ଚାଷୀ ମଣ୍ଡିରେ ଏଫଏକ୍ୟୁ ମାନର ଧାନ ଦେବାକୁ ଅସମର୍ଥ ଅଟେ । ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଙ୍ଗଠନ ପକ୍ଷରୁ କୃଷିଋଣ ଛାଡ, ରିଲିଫ କୋର୍ଡ ସଂଶୋଧନ, ଜଳ ନିଷ୍କାସନ, ଜଳସେଚନ, ରବି ଜାତୀୟ ଚାଷ ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ ଆଦି ଦାବିରେ ଦର୍ଶାଯାଇଛି । ଉକ୍ତ ଦାବିପତ୍ରକୁ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, କୈଳାସ ଚନ୍ଦ୍ର ପରିଡା, ପ୍ରଫୁଲ୍ଲ ପରିଡା, ଦୁର୍ଯ୍ୟୋଧନ ଲେଙ୍କା ଆଦି ତହସିଲଦାର ଅକ୍ଷୟ କୁମାର ବଡୁଙ୍କୁ ଭେଟି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ