ଅଦିନିଆ ଲଗାଣ ବର୍ଷା ରେ ଧାନ, ପନିପରିବା ଫସଲ ନଷ୍ଟ, ଚିନ୍ତିତ ଚାଷୀ କୂଳ,ବ୍ଲକ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ
ଶେରଗଡ, (ଅନୀଲ କୁମାର ପଣ୍ଡା):ଗତ ୫ ଦିନ ଧରି ଲଗାଣ ବର୍ଷା ରେ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ହେକ୍ଟର ହେକ୍ଟର ଧାନ ଜମି ଜଳାର୍ଣବ ହୋଈଛି। ଧାନ ଗଛ ପାଣିରେ ବୁଡି ରହିଥିବା ବେଳେ ପନିପରିବା ଚାଷ ବି କ୍ଷତିଗ୍ରସ୍ତ ହୋଈଥିବା ଜଣାପଡିଛି। ସେହିପରି କିଛି ସ୍ଥାନରେ ଧାନ କାଟି ଜମିରେ ପକାଇ ରଖିଥିବା ବେଳେ ତାହା ପାଣିରେ ବୁଡି ଗଜା ହୋଇ ନଷ୍ଟ ହୋଈଯାଈଥିବା ବେଳେ ଲଘୁଚାପଜନିତ ବର୍ଷା ଚାଷୀ ର ମେରୁଦଣ୍ଡ ଭାଙ୍ଗି ଦେଈଛି। ଚାଷ ଜମିରୁ ଧାନ ଛାଣି ଛାଣି ବାହାର କଲେ ସୁଦ୍ଧା ତାହା ଦେହରୁ ବାହାରୁଥିବା ପୋଚକା ଗନ୍ଧ ଓ କେଣ୍ଡାରେ ଥିବା ଧାନ ସମ୍ପୂର୍ଣ୍ଣ ଝଡି ବିଲରେ ପଡି ଗଜା ହୋଈଗଲାଣି। ଏହି ସମସ୍ୟା କୁ ନେଇ ଆଜି ଶେରଗଡ ବ୍ଲକ ବିଜେଡି ପକ୍ଷରୁ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ଓ ମାନ୍ୟବର ବିଧାୟକ ଙ୍କ ଶେରଗଡ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ ଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଏକତ୍ରିତ ହୋଇ ବିଲରେ କଟା ହୋଇ ପଡି ରହିଥିବା ଓଦା ଧାନ କୁ ତହସିଲ ଓ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ହେଲା ଆଧୁନିକ ବୈଷୟିକ ଜ୍ଞାନ କୌଶଳ ରେ ସମସ୍ତ ପ୍ରକାର କୃଷି କ୍ଷେତ୍ରରେ କ୍ଷତି ର ଯୁଦ୍ଧ କାଳୀନ ଆକଳନ ଓ ଆର୍ଥିକ ସହାୟତା ପ୍ରଦାନ, କୃଷି ଋଣ ସହ କୃଷକ ର ମୁଣ୍ଡ ଉପରେ ଥିବା ଅନ୍ୟ ଋଣ ଛାଡ,ସମସ୍ତ ପ୍ରକାର ଚାଷୀ ଙ୍କୁ ଜଳକର ଛାଡ,ଧାନ ଚାଷୀଙ୍କ ଉତ୍ପାଦିତ ଧାନର ଗୁଣାତ୍ମକ ମାନ ଏଫଏକ୍ୟୁ ମାନ ରେ କୋହଳ, ପାଣି ମାଡ଼ି ଧୁଷୁରିଆ ବେରଙ୍ଗ ହୋଈଥିବା ଗମି ଯାଈଥିବା ଧାନକୁ କ୍ରୟ କରିବା ଲାଗି ସରକାର ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରନ୍ତୁ, ହେକ୍ଟର ପ୍ରତି କ୍ଷତି ର ସହାୟକ ମୂଲ୍ୟ ବୃଦ୍ଧି କରିବା, ପନିପରିବା ଚାଷୀ ଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ଲାଗି ଦାବି କରିଛନ୍ତି। ଚାଷୀ ପ୍ରତି ବର୍ଷ ବୀମା ଟଙ୍କା ପ୍ରଦାନ କରୁଥିବା ବେଳେ ଶହେରୁ ଶହେ ପ୍ରତିଶତ କ୍ଷତି ହେବା ସମୟରେ ବୀମା କମ୍ପାନୀ କ୍ଷତିପୂରଣ ଦେବା ଲାଗି ବ୍ଲକ ବିଜେଡି ଦାବି କରୁଛନ୍ତି। ଯଦି କ୍ଷୟକ୍ଷତି କୁ ଠିକ ଭାବେ ଆକଳନ ନକରି ବୀମା ଟଙ୍କା ପ୍ରଦାନ ନକରାଯାଏ ତା ହେଲେ ଆଗାମୀ ଦିନରେ ଚାଷୀଙ୍କ ସହ ବିଜେଡି ରାଜରାସ୍ତାକୁ ଓହ୍ଲାଇବ,ଏଥିରେ ଦ୍ବିମତ ନାହିଁ। ଏହି ଦାବିପତ୍ର ପ୍ରଦାନ ସମୟରେ ଶହ ଶହ ଚାଷୀଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ଆତ୍ମା ର ଅଧ୍ୟକ୍ଷ ରଞ୍ଜନ କୁମାର ସେଠି, ଗୋବିନ୍ଦପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସିମାଞ୍ଚଳ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ବରୁଣ ପୋଲେଈ, ପିତ୍ତଳ ସରପଞ୍ଚ ରାମ ରାଘବ ପାତ୍ର, ପିତ୍ତଳ ସମିତି ସଭ୍ୟ ଜନାର୍ଦ୍ଦନ ପାତ୍ର, ବରିଷ୍ଠ ଚାଷୀ ନେତା ବଳରାମ ରାଉତ ଙ୍କ ସହ ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।