ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ପ୍ରଶାସନର ମନୋମୁଖୀ କାର୍ଯ୍ୟ, କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା, ଦୀର୍ଘ ଦିନ ଧରି ପଞ୍ଚାୟତ ସମିତି ବୈଠକ ନଡାକିବା, ସ୍ଥାୟୀ ବିଡିଓ ନିଯୁକ୍ତି ନକରିବା, ବକେୟା ବିଲ୍ ପୈଠ କରିବା ପ୍ରତିବାଦରେ ମଙ୍ଗଳବାର ଠାରୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଆରମ୍ଭ ହୋଇଥିବା ଜଣାପଡିଛି । ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା କାର୍ଯ୍ୟକ୍ରମରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ ଯୋଗଦେଇ ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜେଡିର ସଂଗ୍ରାମ ଜାରି ରହିବ ଏବଂ ଆସିକାରେ କେତେକ କ୍ଷେତ୍ରରେ ଚାଲିଥିବା ଅନ୍ୟାୟ, ଅନିତୀ ଓ ଦୁର୍ନିତୀ ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଶାଣିତ ଏବଂ ତୀବ୍ରତର କରାଯିବ ବୋଲି ସୂଚନା ପ୍ରଦାନ କରି ଜନୈକ ନିର୍ଦ୍ଦିଷ୍ଟ ନେତାଙ୍କ କଥାରେ ପ୍ରଶାସନ ଯେଉଁଭଳି ଭାବେ ଜନବିରୋଧୀ କାର୍ଯ୍ୟ କରୁଛି ତାହାକୁ ତୀବ୍ର ନିନ୍ଦା କରିବା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନଅସନ୍ତୋଷ ନିଶ୍ଚିତ ଭାବେ ପ୍ରତିଫଳିତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବିଜୁ ଜନତା ଦଳ ପକ୍ଷରୁ ଆସିକା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବିଜେଡି ନେତା ସନ୍ତୋଷ କୁମାର ନାୟକ, ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଜୟସେନ ସ୍ୱାଇଁ, ରାଘବ କୁମାର ନାହାକ ପ୍ରମୁଖ ଉଦ୍ବୋଧନ ଦେଇ ଆସିକା ପ୍ରଶାସନର ବିଭିନ୍ନ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ଲାଗି ଆରମ୍ଭ ହୋଇଥିବା ଏହି ଗଣଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ନେତା ଭରତ ନାହାକ, ମନୋଜ କୁମାର ପରିଡା, ଜିତେନ୍ଦ୍ର କୁମାର ମହାରଣା, ରବିନ୍ଦ୍ର ସାହୁ, ଆକାଶ ସ୍ୱାଇଁ, କିରଣ ଭୂୟାଁ, କେଶବ ଦାଶଙ୍କ ସମେତ ବହୁ ଦଳୀୟ ନେତା ଓ କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


