ପଶ୍ଚିମବଙ୍ଗ ବାଙ୍କୁରା ଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗର ସ୍ୱତନ୍ତ୍ର ଟିମ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଶିମିଳିପାଳ ବାଘୁଣୀ ଜିନ୍ନତ ଓଡିଶା ବଙ୍ଗ ଝାଡ଼ଖଣ୍ଡ ରାଜ୍ୟରେ ଚହଳ ପକାଇଥିବା ବେଳେ, ଶିମିଳିପାଳରୁ ଫେରାର ହେବାର 21 ଦିନ ପରେ ଧରଦେଇଛି ବାଘୁଣୀ ଜିନ୍ନତ.ବନ ବିଭାଗର ସ୍ୱତନ୍ତ୍ର ଟିମ ବହୁ ପ୍ରଚେଷ୍ଟା ପରେ ଶେଷରେ ବାଙ୍କୁରା ଜିଲ୍ଲା ରାଣିବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟ ରାଣୀବନ୍ଧ ଜଙ୍ଗଲରେ ବାଘୁଣୀ ଜିନ୍ନତ କୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ଟିମ ସକ୍ଷମ ହୋଇଛି ବୋଲି ଆରସିସିଏଫ ପ୍ରକାଶ ଚାନ୍ଦ ଯୋଗିନେନି ସୂଚନା ଦେଇଛନ୍ତି.ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ବନ ବିଭାଗର ୧୨୦ ଜଣିଆ ଏକ ଟିମ ପଛେପଛେ ଲାଗିରହିଥିଲା. ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଦୁଇଟି ମଇଁଷିକୁ ଥୋପ କରି ବନ ବିଭାଗ ଜିନ୍ନତକୁ ଆହାର ଲୋଭ ଦେଖାଇ ଥିଲା. ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀ ମାନେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଛନ୍ତି. ତେବେ ବନ ବିଭାଗର ଅଭିଜ୍ଞ ଟିମ ତାକୁ ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଯୋଜନା କରି ଆସୁଥିଲେ ମଧ୍ୟ ବନ ବିଭାଗର ସବୁ କାଇଦା କୌଶଳକୁ ଜିନ୍ନତ ନିଜର ବୁଦ୍ଧିମତା ବଳରେ ଏଡାଇ ଯାଉଥିଲା. ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଞ୍ଚ ଜଙ୍ଗଲରୁ ଜିନ୍ନତକୁ ବାହାରକୁ ଆଣିବା ପାଇଁ ବନ ବିଭାଗ ଛେଳି, ମଇଁଷିଙ୍କୁ ଥୋପ କରୁଥିଲେ ମଧ୍ୟ ଜିନ୍ନତ ଭୟରେ ବାହାରକୁ ଆସୁନଥିଲା. ଜିନ୍ନତକୁ ଧରିବା ପାଇଁ ଜାଲ ବିଛାଇ ବାଘ ଧରିବାରେ ଏକ୍ସପାର୍ଟ ସୁନ୍ଦରବନର ସ୍ୱତନ୍ତ୍ର ଟିମ, ଆସାମର କାଜିରଙ୍ଗା ଅଭୟାରଣ୍ୟରୁ ସ୍ଵତନ୍ତ୍ର ଟ୍ରାଙ୍କୁଲାଇଜ ଦଳ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ)ର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ାଙ୍କ ଟିମ ଟ୍ରାଙ୍କୁଲାଇଜ ପାଇଁ ପ୍ରୟାସ ଜାରି ରଖିଥିଲେ. ସେହିପରି ବାଘୁଣୀ ଜିନ୍ନତର ଆତଙ୍କ ରେ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ପ୍ରଥମେ ପୁରୁଲିଆ ଓ ଝାଡ଼ଗ୍ରାମ ଅଞ୍ଚଳରେ ହାଇଆଲର୍ଟ ଜାରି କରିଥିଲା. ପୁଣି ଜିନ୍ନତ ସ୍ଥାନ ପରିବର୍ତ୍ତନ କରିବାରୁ ବାଙ୍କୁରା ଜିଲ୍ଲା ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି, ଆଦି ଗ୍ରାମରେ ହାଇଆଲର୍ଟ ଜାରି କରାଯାଇଥିଲା.
ଦିନକୁ ଦିନ ଜିନ୍ନତ ଶିମିଳିପାଳ ଠାରୁ ଦୁରକୁ ଏପରିକି ଶିମିଳିପାଳ ଠାରୁ ପ୍ରାୟ 200 କିମି ଦୁରକୁ ଜିନ୍ନତ ଚାଲି ଯାଇଥିବାରୁ ବନ ବିଭାଗର ଚିନ୍ତା ବଢିଯାଇଥିଲା. ଆଉ ବିଳମ୍ବ ହେଲେ ଯଦି ସେ ସୁନ୍ଦରବନ ମୁହାଁ ବା ବାଂଲାଦେଶ ମୁହାଁ ହୁଏ ତେବେ ଜିନ୍ନତକୁ ଶିମିଳିପାଳ ଫେରାଇବା ଦୁରୂହ ବ୍ୟାପାର ହୋଇଥାନ୍ତା. ଟ୍ରାଙ୍କୁଲାଇଜ ପରେ ଜିନତକୁ ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଅଣାଯାଉଛି. ଜିନତ ଆସିଲେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶିମିଳିପାଳରେ ନିର୍ମିତ ଅସ୍ଥାୟୀ ଏନକ୍ଲୋଜରରେ ଅଧିକଦିନ ରଖାଯିବ. ଇତିମଧ୍ୟରେ ଶ୍ରୀ ଗୋଗିନାନୀ ଉକ୍ତ ଏନକ୍ଲୋଜର ପରିଦର୍ଶନ କରି ଆନୁଷଙ୍ଗିକ ତଦାରଖ ମଧ୍ୟ କରିସାରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ