ପୁଲୱାମା ଆକ୍ରମଣର ପୁନରାବୃତ୍ତି ଯୋଜନା ବିଫଳ ଧରାପଡିଲା ସିଆରପିଏଫ୍ ବସ୍କୁ ଧକ୍କା ଦେଇଥିବା ଆତ୍ମଘାତୀ

ଶ୍ରୀନଗର(ଏଜେନ୍ସି): ଫେବ୍ରୁଆରୀ ୧୪ରେ ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏଥିରେ ୪ଠରୁ ଊଦ୍ଧ୍ୱର୍ ସିଆରପିଏଫ୍ ଯବାନ ମୃତାହତ ହେବା ଘଟଣା ସମଗ୍ର ବିଶ୍ୱ ମାନସପଟ୍ଟରେ ଏବେ ବି ତାଜା ରହିଥିବା ବେଳେ ଆତଙ୍କବାଦୀ ଗୋଷ୍ଠୀଙ୍କ ପକ୍ଷରୁ ଏହି ଘଟଣାର ପୁନରାବୃତ୍ତି କରାଯିବାକୁ ଚେଷ୍ଟା କରାଯାଇଛି । ତେବେ ସୌଭାଗ୍ୟବଶତଃ ସିଆରପିଏଫ୍ ଯବାନଙ୍କ ବିଶେଷ କିଛି କ୍ଷତି ହୋଇନାହିଁ । ଜଣେ ଆତ୍ମଘାତୀ ଏକ କାରରେ ପର୍ଯ୍ୟାପ୍ତ ପରିମାଣର ବିସ୍ଫୋରକ ନେଇ ସିଆରପିଏଫ୍ ଯବାନ୍ଙ୍କ ଏକ ବସ୍କୁ ଧକ୍କା ଦେଇଥିଲା । ମାତ୍ର ବିସ୍ଫୋରକ ଠିକ୍ ଭାବେ ବିସ୍ଫୋରିତ ହୋଇନଥିଲା । ସାମାନ୍ୟ ଆଘାତ ଲାଗିଥିଲେ ମଧ୍ୟ ସିଆରପିଏଫ୍ ଯବାନ ସୁରକ୍ଷିତ ଭାବେ ବସ୍ରୁ ଓହ୍ଲାଇଯାଇଥିଲେ । ଅନ୍ୟପକ୍ଷେ ଏହି ଘଟଣାରେ ନିୟୋଜିତ ହୋଇଥିବା ଆତ୍ମଘାତୀକୁ ଶ୍ରୀନଗରଠାରେ ସୁରକ୍ଷା ବଳ ଏକ ବସ୍ ମଧ୍ୟରୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପରେ ତା’କୁ ଜେରା କରାଯିବା ସମୟରେ ସେ ସବୁକିଛି ମାନିଯାଇଛି ।
ଆତ୍ମଘାତୀ ଦେଇଥିବା ବୟାନ ଅନୁସାରେ ସେ ମାର୍ଚ୍ଚ ୩ଠ, ସକାଳ ୧ଠ.୧୫ ସମୟରେ ଶ୍ରୀନଗରର ଜାତୀୟ ରାଜପଥ ଦେଇ ଯାତାୟତ କରୁଥିବା ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ (ସିଆରପିଏଫ୍)ର ବସ୍ ମଧ୍ୟରୁ ଗୋଟିଏକୁ ଉଡ଼ାଇବାକୁ ଟାର୍ଗେଟ୍ କରିଥିଲା । ତେଣୁ ସେ ବିସ୍ଫୋରକ ବୋଝେଇ କାରକୁ ସିଆରପିଏଫ୍ ଯବାନଙ୍କ ବସ୍ ପର୍ଯ୍ୟନ୍ତ ନେବାକୁ ଚେଷ୍ଟା କରିଥିଲା ଏବଂ ଧକ୍କା ଦେଇଥିଲା ମାତ୍ର ଠିକ୍ ଭାବେ ବିସ୍ଫୋରଣ ହୋଇନଥିଲା । ପ୍ରକାଶ ଯେ, ସିଆରପିଏଫ୍ର କିଛି ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଜବାହାର ସୁଡଙ୍ଗ ପାର୍ କରିବାର ମାତ୍ର କିଛି ମିନିଟ୍ ପରେ ବନିହାଲରୁ ୭ କିଲୋମିଟର ଦୂର ଏକ ଗାଁରେ ଭୟାବହ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସ୍ଥଳରେ ଏକ ସାଣ୍ଟ୍ରୋ କାରକୁ ବିସ୍ଫୋରିତ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ତେବେ ବିସ୍ଫୋରଣ ସମୟରେ ସେହି ବାଟ ଦେଇଯାଉଥିବା ସିଆରପିଏଫ୍ର ଏକ ଗାଡ଼ି ସାମାନ୍ୟ ପ୍ରଭାବିତ ମଧ୍ୟ ହୋଇଥିଲା । ଏ ସଂପର୍କରେ ଜାମ୍ମୁ-କାଶ୍ମୀରର ଡାଇରେକ୍ଟର ଜେନେରାଲ୍ ଅଫ୍ ପୁଲିସ୍ ଦିଲବାଗ୍ ସିଂହ ସୂଚନା ଦେଇ କହିଛନ୍ତି, ବିସ୍ଫୋରଣର ୩୬ ଘଣ୍ଟା ଭିତରେ ଅଭିଯୁକ୍ତ ଆତଙ୍କବାଦୀକୁ ଗିରଫ କରାଯାଇଛି । ପଚରାଉଚରା ସମୟରେ ସେ ନିଜ ନାମ ଔସ୍ ଆମିନ୍ ଏବଂ ତା’ ଘର ସୋପିଆନ୍ ଜିଲ୍ଲାର ଓଏଲ୍ ଗାଁରେ ବୋଲି କହିଛି । ତେବେ ସେ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନ ପାଇଁ ଜଣେ ଆତ୍ମଘାତୀ ଭାବେ କାମ କରୁଥିବା ନିଜେ ସ୍ୱୀକାର କରିଛି ବୋଲି ଡିଜିପି ଦିଲବାଗ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ