ବାତ୍ୟା‘ଦାନା’କୁ ସାଢେ ୩ ମାସ ବିତିଲା, ହେଲେ କ୍ଷତି ପୂରଣ ପାଇଲେନି ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବାତ୍ୟା ‘ଦାନା’କୁ ସାଢେ ୩ ମାସ ବିତିଲା ହେଲେ ଭଦ୍ରକ ଜିଲା ବନ୍ତ ବ୍ଲକର କ୍ଷତିଗ୍ରସ୍ତ ଚାଷୀ ମାନେ ଏପର୍ଯ୍ୟନ୍ତ କ୍ଷତି ପୂରଣ ପାଇନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୦୨୪ ମସିହା ଅକ୍ଟୋବର ୨୪ରୁ ୨୬ ପର୍ଯ୍ୟନ୍ତ ୩ ଦିନ ଧରି ବାତ୍ୟା‘ଦାନା’ ଏହି ବ୍ଲକରେ ଦାଣ୍ଡବ ରଚିଥିଲା । ‘ଦାନା’ର ପ୍ରଭାବରେ ବ୍ଲକରେ ବହୁତ କିଛି କ୍ଷତି ଘଟିଥିଲା । ଜନଜୀବନ ଠାରୁ ଆରମ୍ଭ କରି ପ୍ରାଣୀ ସମ୍ପଦ ଓ କୃଷି ଆଦି ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ରାସ୍ତାଘାଟ ଓ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡିଥିଲା । ଶହ ଶହ ଏକର ଚାଷ ଜମି ପାଣିରେ ବୁଡି ରହି ବ୍ୟାପକ ଫସଲହାନି ହୋଇଥିଲା । ସେତେବେଳେ ବ୍ଲକ ପ୍ରଶାସନର ରିପୋର୍ଟ ଅନୁଯାୟୀ ବ୍ଲକର ୭୫ ଗ୍ରାମର ୧୫ ହଜାରରୁ ଅଧିକ ଲୋକ ଓ ୨୦ ହଜାରରୁ ଅଧିକ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଥିଲା । ବାତ୍ୟା ଯୋଗୁ ବ୍ଲକର ୪ ହଜାର ୮ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା । ୭୫ଟି ଅଙ୍ଗନୱାଡି କେନ୍ଦ୍ର, ୯୭ଟି ସ୍କୁଲ, ୮ଟି ପ୍ରାଣୀଧନ ନୀରିକ୍ଷକ କେନ୍ଦ୍ର, ୧୦ଟି ମେଡିକାଲ ସବ୍ ସେଣ୍ଟର କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ପରେ ରାଜସ୍ୱ ବିଭାଗର କର୍ମଚାରୀ ମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ସଂଗ୍ରହ କରିଥିଲେ । ଏଥିସହ କ୍ଷତିଗ୍ରସ୍ତ ଚାଷୀ ମାନେ ନିଜର ଫସଲହାନି ସଂପର୍କରେ ରାଜସ୍ୱ ବିଭାଗକୁ ଅବଗତ କରାଇଥିଲେ । ଏପରିପେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ହେଲେ ଏହା ମଧ୍ୟରେ ସାଢେ ୩ ମାସ ବିତି ଯାଇଥିଲେ ଚାଷୀ ମାନେ କ୍ଷୟକ୍ଷତି ସହାୟତା ରାଶି ପାଇନଥିବା ଜଣାଯାଇଛି । ଅପରପକ୍ଷେ ତହସିଲ ପକ୍ଷରୁ ବାତ୍ୟା କ୍ଷତି ପୂରଣ ରାଶି ସଂପୃକ୍ତ ବ୍ୟାଙ୍କ ଗୁଡିକୁ ପଠା ଯାଇଥିବା ବେଳେ ଚାଷୀଙ୍କ ଏକାଉଣ୍ଟକୁ ଟଙ୍କା ପଠାଇବାରେ ବ୍ୟାଙ୍କ ପକ୍ଷରୁ ବିଳମ୍ବ କରାଯାଉଥିବାରୁ ଏପରି ସମସ୍ୟା ଦେଖାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।