କମିବନି ପିଆଜ ଦର

ପୁନେ : ଏବେ ଆଉ କମିବନି ପିଆଜ ଦର। ଏଥିପାଇଁ ଲୋକଙ୍କୁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଯାହା ଜଣାପଡ଼ୁଛି ଆସନ୍ତା ଫେବ୍ରୁଆରି ବେଳକୁ ଯାଇ ପିଆଜ ଶସ୍ତା ହେବ। ମିଳିଥିବା ସୂଚନା ଅନୁସାରେ, ବିଦେଶରୁ ଆମଦାନି କରାଯାଉଥିବା ପିଆଜ ଶୀଘ୍ର ଭାରତରେ ପହଞ୍ଚୁନାହିଁ। ତୁର୍କୀ ଓ ଶ୍ରୀଲଙ୍କା ପକ୍ଷରୁ ପିଆଜ ରପ୍ତାନିକୁ କମ୍ କରାଯାଇଛି। ଯେଉଁ ପିଆଜ ଆମଦାନି କରିବାକୁ ବରାଦ ଦିଆଯାଇଛି ତାହା ମଧ୍ୟ ଠିକ୍ ସମୟରେ ପହଞ୍ଚି ପାରୁନାହିଁ।
କେତେକ ରାଜ୍ୟରେ ଉତ୍ପାଦନ କରାଯାଇଥିବା ନୂଆ ପିଆଜ ବଜାରକୁ ଆସିଥିବାରୁ ଏହାର ଦାମ୍ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଓଡ଼ିଶା ଭଳି ରାଜ୍ୟରେ ଏହା ଏବେ ବି ବହୁତ ଉପରେ ରହିଛି। ପିଆଜ ଦର ବୃଦ୍ଧି ଯୋଗୁଁ ଏହାର ରପ୍ତାନି ଉପରେ ତୁର୍କୀ କଟକଣା ଲଗାଇଛି। ଶ୍ରୀଲଙ୍କା ମଧ୍ୟ ପରୋକ୍ଷ‌ରେ ପିଆଜ ରପ୍ତାନିକୁ ବନ୍ଦ କରିଥିବା ଜଣାପଡ଼ିଛି। ପିଆଜି ରପ୍ତାନି ଲାଗି ଦରକାର ପଡ଼ୁଥିବା କାଗଜପତ୍ର ହାସଲ କରିବା ପ୍ରକ୍ରିୟାକୁ ଶ୍ରୀଲଙ୍କା କଡ଼ାକଡ଼ି କରିଦେଇଛି ବୋଲି ମୁମ୍ବାଇର ଜଣେ ପିଆଜ ଆମଦାନିକାରୀ ଅଜିତ ଶାହ କରିଛନ୍ତି। ତିନି ଦିନ ତଳେ ତୁର୍କୀ ମଧ୍ୟ ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲା ବୋଲି ସେ କହିଛନ୍ତି। ତେବେ ଆନ୍ତର୍ଜାତିକ ବଜାରରେ ପିଆଜର ଅଭାବ ନାହିଁ। ଏବେ ବି ଇଜିପ୍ଟ ଓ ଆଫଗାନିସ୍ତାନରୁ ଅଧିକ ପିଆଜ ମଗାଇବାର ସୁଯୋଗ ରହିଛି। ୱାଘା ସୀମା ରେଖା ଦେଇ ଆଫଗାନିସ୍ତାନରୁ ପିଆଜ ଅଣାଯାଉଛି। ସେଠାିରେ ମାଲ ପରିଚାଳନା କରିବାର କ୍ଷମତା କମ୍ ରହିଥିବାରୁ ପିଆଜଗୁଡ଼ିକ ଶୀଘ୍ର ଭାରତକୁ ଆସିପାରୁନାହିଁ। ଦେଶର ସବୁଠୁ ବଡ଼ ପିଆଜ ବଜାର ଲାସାଲଗାଓଁ ଏପିଏମ୍‌ସିରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୫୦% କମ୍ ପିଆଜ ପହଞ୍ଚିଛି। ୨୦୧୮ରେ ଏହି ସମୟରେ ଲାସାଲଗାଓଁ ବଜାରକୁ ଦୈନିକ ୨୫-୨୭ ହଜାର ଟନ୍ ପିଆଜ ଆସୁଥିଲା। ଏବେ ତାହାର ପାଖାପାଖି ଅଧା ଅର୍ଥାତ ୧୨-୧୩ ହଜାର ଟନ୍ ପିଆଜ ପହଞ୍ଚୁଛି। ସ୍ଥାନୀୟ ଚାଷୀଙ୍କଠାରୁ ମିଳୁଥିବା ପିଆଜର କେଜି ପିଛା ଦର ୬୫ ଟଙ୍କା ରହୁଥିବା ବେଳେ ବିଦେଶରୁ ଆସୁଥିବା ପିଆଜ ଦାମ୍ ୫୫ ଟଙ୍କା ରହିଛି। ଗୋଟିଏ ପଟେ ବିଦେଶରୁ ମଗାଯାଇଥିବା ପିଆଜ ଭାରତରେ ପହଞ୍ଚିବା ବିଳମ୍ବ ହେଉଥିବା ବେଳେ ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ମଧ୍ୟ ପିଆଜ ଠିକ୍ ସମୟରେ ବିଭିନ୍ନ ରାଜ୍ୟରେ ପହଞ୍ଚି ପାରୁନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ