ଆସୁନି ଗାଡି, ମଣ୍ଡିରୁ ଉଠୁନି ଧାନ, ବର୍ଷାରେ ଧାନ ହେଉଛି ଗଜା
ହାଟଡିହି, (ବିକାଶ ବିଶ୍ୱାଳ):ଆସୁନି ଆବଶ୍ୟକ ମୁତାବକ ଗାଡି, ଯାହା ଫଳରେ ମଣ୍ଡିରୁ ଉଠି ପାରୁନି ଧାନ, ତିନିଦିନ ତଳେ ହୋଇଥିବା ବର୍ଷାରେ ଭିଜି ଧାନ ହେଉଛି ଗଜା। ଏପରି ଅଵସ୍ଥା ଦେଖିବକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ସମବାୟ ସମିତିର ଧାନ ମଣ୍ଡିରେ। ଏଠାରେ ଏବେ ଗତ ଜାନୁୟାରୀ ମାସ ୧୩ତାରିଖର ଟୋକନରେ ଧାନ କିଣା ହେଉଛି। ସରକାର ୨୮ଦିନ ଭିତରେ ଧାନ ବିକିବାକୁ ଘୋଷଣା କରିଥିଲେ ବି ଏଠାରେ ତାହା କାର୍ଯ୍ୟକାରୀ ହୋଇ ପାରୁନି। ଏହି ସମିତିରେ ସର୍ବାଧିକ ଚାଷୀ ଥିବାରୁ ଏଠାରେ ଦୁଇଟି ଧାନ ମଣ୍ଡି କରଯାଇଛି। ଗୋଟିଏ ଡଅଁର ଠାରେ ଖୋଲା ଯାଇଥିବା ବେଳେ ଅନ୍ୟଟି ଶାଳଣିଆଁ ଠାରେ ଖୋଲା ଯାଇଛି। ମୋଟ ୨୩୭୧ ଜଣ ଚାଷୀ ୧ଲକ୍ଷ ୫ହଜାର କୁଇଣ୍ଟାଲ ଧାନ ଧାନ ବିକ୍ରୀ ପାଇଁ ନାମ ପଞ୍ଜୀକୃତ କରିଥିବା ବେଳେ ଆଜି ସୁଧା ୭୯୩୭୪ କୁଇଣ୍ଟାଲ ଧାନ କ୍ରୟପାଇଁ ଟାର୍ଗେଟ ମିଳିଛି। ବର୍ତ୍ତମାନ ସୁଧା ୧୪୮୨ ଚାଷୀଙ୍କ ପାଖରୁ ୬୯୪୭୭ କୁଇଣ୍ଟାଲ ଧାନ କ୍ରୟ ହୋଇଛି। କିନ୍ତୁ ଅନେକ ଚାଷୀଙ୍କ ଟୋକନ୍ ଲାପସ କରାଯାଇ ଥିବା ବେଳେ ୧୩/୧/୨୦୨୫ ପରେ ଧାନ ଦେବାପାଇଁ ଥିବା ଚାଷୀ ମାନଙ୍କ ଧାନ ଆଜି ପର୍ଯ୍ୟନ୍ତ କ୍ରୟ କରାଯାଇ ପାରିନାହିଁ। ସୁରେନ୍ଦ୍ର ଦାସ ନାମକ ଜଣେ ଚାଷୀ ମାସେ ହେଲା ଧାନ ପକାଇଥିବା ବେଳେ ତାଙ୍କ ଧାନ ଉଠି ପାରିନି। ଗୋଦାମ ଘର ନଥିବାରୁ ଖୋଲା ଆକାଶ ତଳେ ଧାନ ସବୁ ପଡ଼ି ରହିଛି। କେତେକ ବସ୍ତାକୁ ମୂଷା କାଟି ଧାନକୁ ଖାଉଥିବା ବେଳେ ଆଉ ତଳ ବସ୍ତା ସବୁରେ ଧାନ ଗଜା ହେଲାଣି। ଅନେକ ଚାଷୀଙ୍କ ଧାନ ଏବେବି ଖଳା ବାଡିରେ ପଡ଼ି ରହିଛି। ଏପରି ସମସ୍ୟାରେ କିପରି ଧାନ ବିକିବୁ ବୋଲି ଚାଷୀ ଭଗବାନ ସା, ଉସାନନ୍ଦ ମହାନ୍ତି, ବନମାଳୀ ବେହେରା, ରଜତ ମହାକୁଡ, ସୁରେନ୍ଦ୍ର ଦାସ, ଭାସ୍କର ପହି ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମ୍ପାଦକ ଉମାକାନ୍ତ ନାୟକ କହିଛନ୍ତି ଯେ ଆମକୁ ପ୍ରତିଦିନ ୧ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଇଥିବା ବେଳେ ମିଲର ମାନେ ମାତ୍ର ଗୋଟିଏ ଦୁଇଟି ଟ୍ରକ ପଠାଉଛନ୍ତି। ଏହି ଗୋଟିଏ ଦୁଇଟି ଟ୍ରକରେ ମାତ୍ର ୨୦୦/ ୩୦୦ କୁଇଣ୍ଟାଲ ଧାନ ଯାଉଛି। ଆମର ଗୋଦାମ ଘର ନଥିବାରୁ ଆମେ ଅଧିକ କିଣି ପାରୁନୁ। ଯଦି ମିଲର୍ ଧାନ ଉଠାଇବାକୁ ଅଧିକ ଗାଡ଼ି ପଠାନ୍ତେ ତେବେ ଏପରି ସମସ୍ୟା ଉପୁଜନ୍ତା ନାହିଁ ବୋଲି ସେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


