ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦିଆଯିବା ନିତାନ୍ତ ଆବଶ୍ୟକ । ଆଇନ ଶୃଙ୍ଖଳା, ଗମନା ଗମନ ଓ ପରିବହନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ସୁସଂଗଠିତ ଭାବେ କରିବା ଆବଶ୍ୟକ ବୋଲି ନବ ନିର୍ବାଚିତ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର କହିଛନ୍ତି ।ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହଠାରେ ରାଜ୍ୟ ନାଗରିକ ସମାଜ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଭୁବନେଶ୍ୱର ରକ୍ତଦାନ ମିଶନ, ବିବେକାନନ୍ଦ ସ୍କୁଲ୍‌, ରାଜ୍ୟ ସ୍କାଉଟ୍ ଓ ଗାଇଡ୍‌, ଉତ୍ତର ଭୁବନେଶ୍ୱର ଯୁବ ସଂଗଠନ, ଅଧିବକ୍ତା ସଂଘ, ଭେଣ୍ଡିଂଜୋନ ସଂଘ, ବସ୍ତି ସଂଘ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନମାନେ ଯୋଗଦାନ କରି ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହି ସମ୍ବର୍ଦ୍ଧନା ସମାରୋହରେ ଅତିଥି ଭାବେ ମନ୍ମଥ ମଲ୍ଲିକ ଯୋଗଦେଇ କହିଥିଲେ ଯେ, ଶ୍ରୀ ମିଶ୍ର ଭୁବନେଶ୍ୱରର ଅନ୍ୟତମ ମୁରବୀ । ସାଂସ୍କୃତିକ ପରମ୍ପରାର ହିତୈଶ ଭାବେ ନିରଞ୍ଜନ ବାବୁ ଅହରହ କାମ କରୁଛନ୍ତି । ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ନିଶ୍ଚିତ ଭାବରେ ସବୁଜ ଓ ସୁନ୍ଦର ସହର ଭାବେ ପରିଗଣିତ ହୋଇପାରିବ । ଅନ୍ୟତମ ଅତିଥି ଭାବରେ ଅଧିବକ୍ତା ତପନ ହରିଚନ୍ଦନ କହିଲେ ଯେ, ସରକାରଙ୍କ ସହ ହାତ ମିଳାଇ ଭୁବନେଶ୍ୱର ଜିଲ୍ଲା ସଭାପତି ନିଶ୍ଚିତ ଭୁବନେଶ୍ୱରବାସୀଙ୍କ ସେବା କରିବେ । ରାଜ୍ୟ ବିଜେପି ପ୍ରବକ୍ତା ହିତେଶ ମହାପାତ୍ର ଯୋଗଦେଇ ଶ୍ରୀ ନିରଞ୍ଜନ ମିଶ୍ରଙ୍କୁ ଆଗାମୀ ଭୁବନେଶ୍ୱରର ଶିଳ୍ପୀ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ । ବିଜେପି ପ୍ରବକ୍ତା ତଥା ସର୍କାର ଖବରକାଗଜର ମୁଖ୍ୟ ସମ୍ପାଦକ ଶ୍ରୀ ପ୍ରକାଶ ରଥ ସଭା ପରିଚାଳନା କରିବା ସହ ଶ୍ରୀ ନିରଞ୍ଜନ ମିଶ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ନାଗରିକ ସମାଜର କର୍ମକର୍ତ୍ତା ନିହାର ଧଳ, ମୋହନ ନନ୍ଦ, ତ୍ରିଲୋଚନ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ