ପାନୀୟ ଜଳ ସଙ୍କଟରେ ଖାନ୍ଦିପଡା
କୋଦଳା,(ବାପୁନି କୁମାର ମାଲୁ):ଗ୍ରୀଷ୍ମଋତୁ ଆଗମନ ହେଉଥିବା ବେଳେ ବର୍ତମାନ ପାନୀୟ ଜଳ ସଙ୍କଟ ଅନେକ ସ୍ଥାନରେ ଦେଖାଗଲାଣି । ବସୁଧା ଯୋଜନାରେ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ଯୋଗାଇବା ପାଇଁ ଯୋଜନା କରିଛନ୍ତି । ହେଲେ ଅନେକ ସ୍ଥଳରେ କାର୍ଯ୍ୟକାରିତାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବେଗୁନିଆପଡା ବ୍ଲକର ବଡ଼ ଖଇର ଖମା ପଂଚାୟତର ଖାନ୍ଦିପଡାରେ ଦେଖା ଦେଇଛି ପାନୀୟ ଜଳ ସଙ୍କଟ। ପ୍ରକାଶ ଥାଉ କି ଖାନ୍ଦିପଡା ଆଦିବାସୀ ଜଙ୍ଗଲ ଘେରା ବସତି ଅଟେ । ଏଠାରେ ପାନୀୟ ଜଳ ଯୋଗାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହି ଗ୍ରାମ ନିକଟରେ କେ. ନୁଆଁପଲ୍ଲୀ ଗ୍ରାମ ପାଇଁ ପାଣି ଟାଙ୍କି ନିର୍ମିତ ହୋଇଛି । ପାଣି ଟାଙ୍କି ଠାରୁ କେ. ନୁଆଁପଲ୍ଲୀ ଅନେକ ଦୂର ହୋଇଥିବା ବେଳେ ସେଠାକୁ ପାନୀୟ ଜଳ ଯୋଗାଯାଇଛି । ଅଥଚ ଟାଙ୍କି ନିକଟରେ ଖାନ୍ଦିପଡା ରହିଥିଲେ ମଧ୍ୟ ପାନୀୟ ଜଳ ପାଇବାରୁ ବଂଚିତ ଏମାନେ । ଗ୍ରାମ ନିକଟରେ ଏକ କୂଅ ରହିଛି, ହେଲେ ଖରାଦିନେ ଏହି କୂଅ ଶୁଖିଯାଉଛି । ବର୍ତମାନ ମାତ୍ର ଏକ ଫୁଟ ପାଣି ମଧ୍ୟ ନାହିଁ । ଏହି ପାଣିକୁ ଛାଣି ବ୍ୟବହାର କରୁଛନ୍ତି । ଏହା ନିକଟରେ ଗୋଟିଏ ନଳକୂପ ରହିଛି, ହେଲେ ଏଥିରୁ ବାହାରୁ ଥିବା ପାଇଁ ମଇଳା ଓ ଦୃଗନ୍ଧ ହୋଇଥିବା ଜଣାପଡିଛି । ଏ ସମ୍ପର୍କ ରେ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମ ବାସି । ଏପରି କି ଏହି ପଡା କୁ ଏକ ମାଟି ରାସ୍ତା ରହିଛି ବର୍ଷା ଦିନେ ଏହି ରାସ୍ତା ରେ ଯିବା ଆସିବା ମଧ୍ୟ କଷ୍ଟ କର ହୋଇପଡୁଛି । ବିଭିନ୍ନ ଯୋଜନା ରେ ପାନୀୟ ଜଳ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏମାନେ ପାନୀୟ ଜଳ ପାଇଁ ଦୁଇ କିମି ଯିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସି । ଯଦି ପାନୀୟ ଜଳ ଯୋଗା ନ ଯାଏ ତେବେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏ ସମ୍ପର୍କ ରେ ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା କହିଛନ୍ତି, ମୁଁ ଯଥା ଶୀଘ୍ର ଏହି ଗ୍ରାମକୁ ଯାଇ କଣ ବ୍ୟବସ୍ଥା କରାଯାଇ ପାରିବ ଆଲୋଚନା ପଦକ୍ଷେପ ନେବି ।


