ତାରକ କ୍ଷେତ୍ର ରାଜାଲୋକାରେ ଶ୍ରୀରାମ ନବମୀ
ମୟୁରଭଞ୍, (ମୁରାରୀ ମୋହନ ମହାପାତ୍ର): ସାରସକଣା ବ୍ଲକ ଅନ୍ତର୍ଗତ ରାଜାଲୋକା ଗ୍ରାମପଞ୍ଚାୟତରେ ଥିବା ତାରକ କ୍ଷେତ୍ର ରାଜାଲୋକା ରେ ରାମ ଦରବାର ଠାରେ ପ୍ରତିଷ୍ଠା ଦିବସ ତ୍ରୟୋଦଶ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି | ଆଜି ଶ୍ରୀରାମ ନବମୀ ଉପଲକ୍ଷେ ସକାଳ ୬:୦୦ ଘଟିକାରୁ ଶ୍ରୀରାମଙ୍କ ଅଖଣ୍ଡନାମାରମ୍ଭ ହୋଇଯାଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସହସ୍ର ଭକ୍ତଗଣଙ୍କ ସମାବେଶ ଦେଖିବାକୁ ମିଳିଥିଲା | ଆଖ ପାଖ ଅଞ୍ଚଳ ସହିତ ପୋଡ଼ସୀ ଜିଲ୍ଲା ମାନଙ୍କଠାରୁ ଆରମ୍ଭ କରି ପୋଡ଼ସୀ ରାଜ୍ୟ ଝାରଖଣ୍ଡ, ପଶ୍ଚିମମେଦିନୀପୁର ଏବଂ ବିହାର ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତଗଣ ପ୍ରଭୁଙ୍କର ଅହେତୁକ କୃପା ଲାଭ ନିମନ୍ତେ ଛୁଟି ଆସିଥିଲେ | ଅଞ୍ଚଳଟି ରାମ ନାମରେ ପ୍ରକମ୍ପିତ ହେଇଥିବାର ଦେଖିବାକୁ ମିଳିଥିଲା |ଶ୍ରୀରାମ ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ଭକ୍ତ ବୃନ୍ଦଙ୍କୁ ସ୍ୱାଗତ କରିବା ସହିତ ଦିନତମାମ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା |ଭକ୍ତମାନେ ଶାନ୍ତି ଭାବରେ କେମିତି ଶ୍ରୀରାମ ନବମୀ ବିହିତ ପୂଜା ଓ ଜୀଉ ଦର୍ଶନ କରିପାରିବେ ସେନେଇ ମନ୍ଦିର ପରିଚାଳନା କମିଟି ତରଫରୁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା | ଶାନ୍ତି ଶୃଙ୍ଖଳା ବଜାଇ ରଖିବା ନିମନ୍ତେ ଅଞ୍ଚଳରେ ଥିବା ଝାରପୋଖରୀଆ ପୋଲିସ ପକ୍ଷରୁ ସୁରକ୍ଷା ବାହିନୀମାନେ ମନ୍ଦିରର ପରିଚାଳନା କମିଟିକୁ ସହଯୋଗ କରିଥିଲେ | ଏହି ଉତ୍ସବରେ ବହୁ ସାଧୁ ସନ୍ଥ ତଥା ବିଜ୍ଞ ପଣ୍ଡିତମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା |


