ସୂଚନା ଲୋକସମ୍ପର୍କ ଅଫିସ ସଚଳ ପାଇଁ ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୁଚିଣ୍ଡା(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ରେ ଦୀର୍ଘଦିନ ଧରି ଅଚଳ ହୋଇପଡିଥିବା ଉପଖଣ୍ଡ ର ସୂଚନା ଲୋକସମ୍ପର୍କ ବିଭାଗ ଅଫିସ ଓ ପାଠାଗାରକୁ ସଚଳ କରିବା ପାଇଁ କୁଚିଣ୍ଡା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସୋମବାର ସାକ୍ଷାତ କରି ଅଭିଯୋଗ ଜଣାଇଛନ୍ତି।ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ କୁଚିଣ୍ଡା ସାମ୍ବାଦିକ ସଂଘ ସଭାପତି ଦିନେଶ କୁମାର ନନ୍ଦଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଯାଇ ଶୀଘ୍ର ଅଚଳ ଅଫିସକୁ ସଚଳ କରି ପାଠାଗାର ଖୋଲିବା,ସୂଚନା ଲୋକସମ୍ପର୍କ ଅଧିକାରୀ ନିଯୁକ୍ତିସହ ସମସ୍ତ ଖାଲି ପଡିଥିବା ପଦବୀ ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।ସୂଚନାଯୋଗ୍ୟ ଯେ,କୁଚିଣ୍ଡାରେ ଥିବା ଏହି କାର୍ଯ୍ୟାଳୟ ପାଇଁ ସୂଚନା ଲୋକସମ୍ପର୍କ ଅଧିକାରୀ,ଲାଇବ୍ରେରୀଆନ,ଅପରେଟର,ପିଅନ ଓ ରାତ୍ର ଜଗୁଆଳିଙ୍କ ସମେତ ୫ପଦବୀ ରହିଥିବା ସ୍ଥଳେ ଗତ କିଛି ବର୍ଷ ହେଲା ଏକ ମାତ୍ର ପିଅନଙ୍କୁ ଡେପୁଟେସନରେ ଉପଜିଲ୍ଲାପାଳଙ୍କ ଅଫିସକୁ ନିଆଯାଇଥିବାରୁ ଏବେ ଏହି ଅଫିସ କର୍ମଚାରୀ ଶୂନ୍ୟ ହୋଇଯାଇଛି।କଳାପରିଷଦ ପ୍ରାଙ୍ଗଣରେ ଥିବା ଏହି ସୂଚନା ଲୋକସମ୍ପର୍କ ଅଫିସ ମରାମତି ନିମନ୍ତେ ଅଫିସରୁ ସମସ୍ତ ଆସବାବପତ୍ରକୁ ପାଖରେ ଥିବା ସରକାରୀ ହାଇସ୍କୁଲରେ ସ୍ଥାନାନ୍ତର କରାଯାଇଥିବା ବେଳେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବାରେ ପ୍ରଶାସନିକ ଆନ୍ତରିକତା ପ୍ରକାଶ ପାଉନାହିଁ।ଅଫିସ ଅଚଳ ସହ ଅଧିକାରୀ ପଦବୀ ଖାଲି ପଡିଥିବାରୁ ଖବର କାଗଗରେ ପ୍ରକାଶିତ କୁଚିଣ୍ଡା ଉପଖଣ୍ଡର ଖବର ଆଦି ପ୍ରଶାସନ ପାଖରେ ପହଞ୍ଚି ପାରୁନାହିଁ।ଫଳରେ ଜନସାଧାରଣଙ୍କ ସମସ୍ୟା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ସମସ୍ୟା ସମାଧାନ ହୋଇ ପାରୁନାହିଁ ।ଏନେଇ ସାମ୍ବାଦିକ ସଂଘ ପକ୍ଷରୁ ୨୦୨୩ ଜୁନ ୧୨ରେ ଏହି ଅଫିସକୁ ସଚଳ କରାନଗଲେ ଜୁନ ୨୮ରେ ଧାରଣା ଦିଆଯିବାକୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ପତ୍ରାଳାପ କରାଯାଇଥିଲା।ଖୁବ ଶୀଘ୍ର ଅଫିସ ସଚଳ ନିମନ୍ତେ ଉପଜିଲ୍ଲାପାଳ ଲିଖିତ ପ୍ରତିଶୃତି ଦେବା ପରେ ବି ଅଫିସ ସେମିତି ଅଚଳ ହୋଇ ରହିଥିଲା।ପୁନଶ୍ଚ ୨୦୨୫ ଜାନୁଆରୀ ୨୪ରେ ଉପଜିଲ୍ଲାପାଳଙ୍କୁ ସାମ୍ବାଦିକ ସଂଘ ଚିଠି କରି ଅଫିସକୁ କାର୍ଯ୍ୟକ୍ଷମ ପାଇଁ ଦାବି କରିଥିଲା।ମାତ୍ର ଉପଜିଲ୍ଲାପାଳ ୨୭ଜାନୁଆରୀରେ ଜିଲ୍ଲାପାଳ କୁଚିଣ୍ଡା ବ୍ଲକ ଅଫିସକୁ ଅଭିଯୋଗ ଶୁଣାଣି ପାଇଁ ଆସୁଥିବାରୁ ତାଙ୍କସହ ଆଲୋଚନା କରି ପଦକ୍ଷେପ ନେବାକୁ କହିଥିଲେ।ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସାମ୍ବାଦିକ ସଂଘସହ ଆଲୋଚନା କରି ପିଅନ ଦ୍ବାରା ପାଠାଗାର ଖୋଲିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାସହ ଶୀଘ୍ର ସୂଚନା ଲୋକସମ୍ପର୍କ ଅଧିକାରୀ ପଦବୀ ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ।ପ୍ରତିଶୃତିର ଅଢେଇମାସ ପରେବି ଅଫିସ ଓ ପାଠାଗାର ଖୋଲା ଯାଇନଥିବାରୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିବା ସାମ୍ବାଦିକ ସଂଘ ସଭାପତି ନନ୍ଦ କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ସାମ୍ବାଦିକ ସଂଘର ପ୍ରତିନିଧିଙ୍କ ମଧ୍ୟରେ ଉପସଭାପତି ଅଦିତ ପଣ୍ଡା,ସମ୍ପାଦକ ମନିଷ ତିୱାରୀ,ବରିଷ୍ଠ ସାମ୍ବାଦିକ ବିରଞ୍ଚି ଦର୍କା ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ