ଖାନ୍‌ନଗର ବ୍ରିଜ୍‌ ଅଘଟଣ: ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

କଟକ,(ସରୋଜ ଦାସ): କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଶନିବାର ଅପରାହ୍‌ଣରେ ଘଟିଥିବା ଦୁର୍ଘଟଣା ନେଇ ଆଇନ୍‌ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ହରିଚନ୍ଦନ କହିଛନ୍ତି ଏହି ଅଘଟଣ ନେଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତେବେ ଏହା ପଛର କାରଣ କ’ଣ ତାହା ଖୁବ ଶୀଘ୍ର ଉନ୍ମୋଚିତ ହେବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାକୁ ରାଜ୍ୟସରକାର ଖୁବ୍ ଗୁରୁତର ସହ ଗ୍ରହଣ କରିଛନ୍ତି। ଏଥିସହିତ ବିଭାଗ ପକ୍ଷରୁ ୩ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। କମିଟିରେ ଅଧ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଏବଂ ସଦସ୍ୟ ଭାବେ ରାସ୍ତା-୨ର ମୁଖ୍ୟ ଯନ୍ତ୍ରୀ ଏବଂ କଟକର ଅତିରିକ୍ତ ଜିଲ୍ଲାପାଳ ରହିଛନ୍ତି। ଆଇନ୍‌ମନ୍ତ୍ରୀ କହିଛନ୍ତି, କଟକ ଖାନନଗର ନିକଟରେ ୬ ଲେନ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥୁବା ବେଲେ ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତରେ ଘଟିଲା ସେ ସମ୍ପର୍କରେ ଗଠିତ ବୈଷୟିକ କମିଟି ସବୁ ଦିଗକୁ ଅନୁଧ୍ୟାନ ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ଯଦି ଏଥିରେ କାହାରି ସମୃକ୍ତି ଜଣା ପଡ଼ୋ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଖାନନଗରରେ ବ୍ରିଜ୍‌ କାମ ଜାରି ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଅନ୍ୟ ଦିନ ଭଳି ଶନିବାର ମଧ୍ୟ ଏଠାରେ ନିର୍ମାଣ କାମ ଚାଲିଥିଲା। କିନ୍ତୁ ଅପରାହଣ୍‌ ସମୟରେ ଅଘଟଣ ଘଟିଥିଲା। ବ୍ରିଜ୍‌ ଉପରେ କିଛି ଶ୍ରମିକ କାମ କରୁଥିବା ବେଳେ ଅନ୍ୟମାନେ ବ୍ରିଜ୍‌ ତଳେ ଥିଲେ। ଅଚାନକ ବ୍ରିଜ୍‌ ଉପରୁ ସ୍ଲାବ ପଡ଼ିଯିବା କାରଣରୁ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣ ଶ୍ରମିକ ସୌମ୍ୟରଂଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣ (ଅରୁଣ ବାରିକ ଓ ବିକଳ ଜେନା)ଙ୍କର ଚିକିତ୍ସା ଜାରି ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ