ସରକାରୀ ମଦ ଦୋକାନ ଚୋରା ମଦ ବେପାରୀଙ୍କୁ ଯୋଗାଉଛି ପ୍ରେତ୍ସାହନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ସରକାର ଅଧିକ ରାଜସ୍ୱ ପାଇବା ଆଶାରେ ବିଭିନ୍ନ ସ୍ଥାନରେ ଖୋଲୁଛନ୍ତି ମଦ ଦୋକାନ । କିନ୍ତୁ ଏହି ମଦ ଦୋକାନ ସରକାରଙ୍କ ନିୟମାନୁସାରେ ଯେତିକି ମଦ ବିକ୍ରି କରିବା କଥା ତାଠାରୁ ଢେର ଅଧିକ ମଦ ବିକ୍ରି କରାଯାଇ ସରକାରଙ୍କୁ ରାଜସ୍ୱ ଫାଙ୍କୁଥିବା ଜଣାଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ନାଉଗାଁ ବ୍ଳକଛକ ଠାରେ ଥିବା ସରକାରୀ ମଦ ଦୋକାନ କ୍ଷେତ୍ରରେ । ଏହି ବ୍ଳକରେ ପ୍ରଥମେ ସରକାରୀ ମଦ ଦୋକାନ ଅଲଣା ପଂଚାୟତର ମୁଣ୍ଡାଳ ଠାରେ ରହିଥିଲା । ଏହି ମଦ ଦୋକାନ ସମ୍ମୁଖରେ ଏକ ଗୁଳିକାଣ୍ଡ ଘଟିଥିଲା । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବି ଓ ଜନସାଧାରଣ ବିରୋଧ କରିଥିଲେ । ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖା ଦେଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ସମୟରେ ତତ୍କାଳିନ ଥାନାଧିକାରୀଙ୍କୁ ଜୈନିକ ମଦ ଦୋକାନୀ ହାତ କରି ରାତାରାତି ଦୋକାନରୁ ମଦ ବୋଝେଇ କରି ଗାଡି ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଥିଲା । ସେହି ସମୟରେ ମଦ ଦୋକାନରେ ଯେତିକି ମଦ ରହିବା କଥା ତାଠାରୁ ଯଥେଷ୍ଟ ଅଧିକ ମଦ ଥିବା ପ୍ରମାଣ ମିଳିଥିଲା । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରି ରାସ୍ତାରୋକ କରିଥିଲେ । ସ୍ଥାନୀୟ ଅଂଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇ ସ୍ଥାନୀୟ ବୁଦ୍ଧିଜୀବ ଓ ସଚେତନ ନାଗରିକମାନଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଉକ୍ତ ମଦ ଦୋକାନକୁ ପ୍ରଶାସନ ପକ୍ଷରୁ ସବୁଦିନ ପାଇଁ ବନ୍ଦ କରାଯାଇଥିଲା । କିଛି ଦିନ ପରେ ଉକ୍ତ ମଦ ଦୋକାନକୁ ନାଉଗାଁ ବ୍ଳକଛକ ଠାରେ ସ୍ଥାନୀୟ ଜନସାଧାରଣଙ୍କ ବିରୋଧ ସତ୍ୱେ ଖୋଲା ଯାଇଥିଲା । ବର୍ତମାନ ଏହି ମଦ ଦୋକାନ ସରକାରୀ ନିୟମ ଉଲଘଂନ କରି ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏହି ମଦ ଦୋକାନରେ କେତେ ମଦ ଷ୍ଟକ ରଖି ପାରିବ,ଷ୍ଟକ ଯାଂଚ କରାଯାଉଛି କି ନାହିଁ ଏ ସଂପର୍କରେ ଜଗତସିଂହପୁର ଅବକାରୀ ବିଭାଗ ସହିତ ଯୋଗାଯୋଗ କଲେ ମଧ୍ୟ ବିଭଗୀୟ ଅଧିକାରୀ ସଠିକ ତଥ୍ୟ ପ୍ରଦାନ କରୁନାହାନ୍ତି । ସରକାରୀ ନିୟମ ଉଲଘଂନ ପଛରେ ବିଭାଗର ସଂପୂର୍ଣ୍ଣ ହାତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ମଦ ଦୋକାନୀ ବିଭିନ୍ନ ବ୍ରାଣ୍ଡର ମଦ ବୋତଲରେ ଥିବା ପ୍ରିଂଟି ମୂଲ୍ୟ ଠାରୁ ଅଧିକ ଟଙ୍କା ନିଆଯାଉଛି । ସେହିପରି ବିକ୍ରି ସମୟରେ କୌଣସି ଗ୍ରାହକକୁ କ୍ୟାସ ମେମୋ ପ୍ରଦାନ କରାଯାଉନାହିଁ । ନିୟମାନୁସାରେ କ୍ୟାସ ମେମୋ ଗ୍ରାହକଙ୍କୁ ପ୍ରଦାନ କରା ନଗଲେ ଅବକାରୀ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଛି । କିନ୍ତୁ ଅବକାରୀ ବିଭାଗ ଏହା ଜାଣି ମଧ୍ୟ ଆଖି ବନ୍ଦ କରିଦେଇଛି । ଫଳରେ ଉକ୍ତ ମଦ ଦୋକାନୀ ମନଇଛା ଚଢା ଦରରେ ବିକ୍ରୟ କରୁଥିବା ବେଳେ ଦୋକାନରେ ଯେତିକି ମଦ ଷ୍ଟକ ରଖିବା କଥା ତାଠାରୁ ଢେର ଅଧିକ ମଦ ଷ୍ଟକ ରଖି ଚୋରା ମଦ ବେପାରୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଜଣାଯାଉଛି । ଯଦି ଦୋକାନରେ ଥିବା ଷ୍ଟକ ମଦ ବିକ୍ରି ନ ହେଉଛି ମଦ ଦୋକନୀ ଚତୁରତାର ସହିତ ବିଭିନ୍ନ ସ୍ଥାନରେ ଚୋରା କାଉଂଟର ଖୋଲି ମଦ ବିକ୍ରି କରୁଥିବା ଜଣାଯାଇଛି । ଯାହାଫଳରେ ଅଧିକ ମଦ ବିକ୍ରି କରି ସରକାରଙ୍କୁ ରାଜସ୍ୱ ଫାଙ୍କି ଉକ୍ତ ମଦ ଦୋକାନୀ ନିଜ ହାତ ଚିକ୍କଣ କରୁଥିବା ଜଣାଯାଇଛି । ବଡକଥା ହେଲା ଉକ୍ତ ମଦ ଦୋକାନୀ ନିଜର ଦୋକାନରୁ ମଦ ବେପାର କମିବା ଭୟରେ ଉକ୍ତ ଅଂଚଳରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଥିବା ସରକାରୀ ମଦ ଦୋକାନ ଖୋଲାଇ ଦେଉ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଉକ୍ତ ଦୋକାନରେ ବେଆଇନ ଭାବେ ମଦ ବିକ୍ରି ଚାଲିଥିବା ବେଳେ ଅବକାରୀ ବିଭାଗର ସ୍ଥାଣୁତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ ଅଭିଯୋଗ ସତ୍ୱେ ବି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗ ଓ ଜୈନିକ ବ୍ୟବସାୟୀଙ୍କ ମଧ୍ୟରେ ସଲାସୁତୁରାରେ ବେପାର ଚାଲୁଥିବା ସ୍ପଷ୍ଟ ଅନୁମେୟ ହେଉଛି । ବେଆଇନ ଭାବେ ଚାଲୁଥିବା ମଦ ଦୋକାନକୁ ଯାଂଚ କରିବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବି ପ୍ରଶସାନ ନିକଟରେ ଦୃଢ ଦାବି କରିଛନ୍ତି । ଏ ବିଷୟକୁ ନେଇ ଜଗତସିଂହପୁର ଅବକାରୀ ବିଭାଗର ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କୁ ପଚାରିବାରୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ