ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପଲ୍ଲୀଶ୍ରୀ ମେଳା ଉଦଯାପିତ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ପଂଚାୟତିରାଜ ବିଭାଗ,ଜିଲ୍ଲା ପ୍ରଶାସନ(ଓରମାସ) ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ଉତ୍ସବ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ,କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟବକ୍ତା ଓ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଭଳି ମେଳାର ଆୟୋଜନ ଫଳରେ ଗ୍ରାମାଚଂଳର ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଗୁଡିକୁ ବିକ୍ରୀ କରିବା ସହ ସେମାନେ ଆର୍ଥିକ ସ୍ୱାବଲମ୍ବନଶୀଳ ହୋଇପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଗତ ୨୦ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ମୋଟ ୨ଶହ ଷ୍ଟଲ ମଧ୍ୟରୁ ୧୫୦ଟି ଷ୍ଟଲରେ ବିଭିନ୍ନ ପ୍ରକାର ବ୍ୟବସାୟୀକ ସଂସ୍ଥା ଓ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଥିଲେ । ୫୦ଟି ଷ୍ଟଲ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାଲି ପଡିଥିବାର ଦେଖାଯାଇଥିଲା । ଜିଲ୍ଲା ଏବଂ ଜିଲ୍ଲା ବାହାରର ୧୦୪ଟି ସ୍ୱୟଂ ସହାୟିକା ଗୋଷ୍ଠି ଏହି ମେଳାରେ ଯୋଗଦେଇ ସେମାନଙ୍କ ଦ୍ରବ୍ୟ ଗୁଡିକର ବିକ୍ରୀ କରିଥିଲେ । ଗତ କାଲି ସୁଦ୍ଧା ଏହି ମେଳାରେ ମୋଟ ୮୭ଲକ୍ଷ ୫୯ହଜାର ୭୩୫ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଆଜି ଏହା କୋଟିଏରୁ ଟପିଯିବାର ସମ୍ଭାବନା ରହିଛି ବୋଲି ଓରମାସ କତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ଶେଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ