କଲଭର୍ଟ ନିର୍ମାଣ ଦାବୀରେ ରାସ୍ତାରୋକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥର ପୁଞ୍ଜିକୟାଁ ଛକ ନିକଟରେ ନୂତନ କଲଭର୍ଟ ନିର୍ମାଣ ଓ ରାସ୍ତା ନିର୍ମାଣ ତୁରନ୍ତ ସାରିବା ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ସୋମବାର ମୁଖ୍ୟରାସ୍ତା ରେ ଗଣଧାରଣା ଦିଆଯିବା ସହ ରାସ୍ତାରୋକ କରାଯାଇଥିଲା। ।ଦିଗପହଣ୍ଡି – ଢ଼ଉଗାଁ ରାସ୍ତାର ପୁଞ୍ଜିକୟାଁ ଛକଠାରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘଦିନ ହେଲା ରାସ୍ତା ସମ୍ପ୍ରସାରଣ ଓ ଡ୍ରେନ କାମ ଆରମ୍ଭ ହୋଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଯୋଗୁଁ ତାହା ସମ୍ପୂର୍ଣ୍ଣ ହୋଇନାହିଁ । ଉକ୍ତ ଅଞ୍ଚଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି । କଲଭର୍ଟ ନଥିବା ହେତୁ ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ପ୍ରାୟ ୩ ଫୁଟ ପାଣି ଜମି ରହିବା ସହ ବିଭିନ୍ନ ସମୟରେ ନାଳ ନର୍ଦ୍ଦମା ପାଣି ବର୍ଷା ଜଳ ସହ ମିଶି ସ୍ଥାନୀୟ ବାସିନ୍ଦାଙ୍କ ଘରେ ପଶି ଯାଉଛି। ସ୍ଥାନୀୟ ବାସିନ୍ଦା ଦୀର୍ଘ ୨ ବର୍ଷ ହେଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ନିକଟରେ ଏହାର ସମାଧାନ ନିମନ୍ତେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ରହିଥିବା ଯୋଗୁଁ ଲୋକଙ୍କ ଯାତାୟାତ ରେ ବାଧା ହେଉଛି। ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ସୋମବାର ପୂର୍ବାହ୍ନ ୧୦ ଟା ରୁ ମଧ୍ୟାହ୍ନ ୧ ଟା ଯାଏଁ ଦିଗପହଣ୍ଡି – ଆସିକା ରାସ୍ତା ର ପୁଞ୍ଜିକଂୟା ଛକ ନିକଟରେ ଗଣଧାରଣା ଦେଇଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା । ଦୀର୍ଘ ସମୟ ଧରି ଆନ୍ଦୋଳନ ସ୍ଥଳରେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ ସେଠାରେ ନ ପହଞ୍ଚିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଖବରପାଇ ଦିଗପହଣ୍ଡି ତହସିଲଦାର ତଥା ଏକ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ ଏବଂ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ସାମିଲ ଥିବା ସ୍ଥାନୀୟ ଏନଏସି ନଗରପାଳ ପ୍ରଫୁଲ ପଣ୍ଡା ଙ୍କ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀଙ୍କ ସହ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ଆସନ୍ତା ୭ ଦିନରେ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା । ଦିଗପହଣ୍ଡି ଠାରେ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ଖୋଲିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଆଗାମୀ ଦିନରେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତାହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଗଣଧାରଣା ରେ ଦିଗପହଣ୍ଡି ନଗରପାଳ ପ୍ରଫୁଲ ପଣ୍ଡା , କାଉନସିଲର ଦୀପକ କୁମାର ମିଶ୍ର , ସୁନୀଲ ପଣ୍ଡା , କାଉନସିଲର ପ୍ରତିନିଧି ଇ. ଶଙ୍କର , ରଞ୍ଜିତ ବେହେରା , ଆଇନଜୀବୀ ମନୋଜ କୁମାର ପଣ୍ଡା,ଲକ୍ଷ୍ମଣ ବେହେରା ଙ୍କ ସମେତ ପ୍ରକାଶ ପାଣିଗ୍ରାହୀ, ଶିବ ପ୍ରଧାନ , ଏମ୍. ବାଇନାଥ ଶିବଶଙ୍କର ମହାରଣା , ବାବି ପୂଜାରୀ, ଟିକିନା ପଟ୍ଟନାୟକ,ବାବୁ ପାଢ଼ୀ, ଭୀମ ପଟ୍ଟନାୟକ,ଗଙ୍ଗା ମହାନ୍ତି,ଏମ.ପଞ୍ଚୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ଓ ବହୁ ସଂଖ୍ୟକ ବାସିନ୍ଦା ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ଥିଲେ।


