ଗ୍ରୀଷ୍ମ ଅବକାଶ ଶେଷ ପରେ ଖୋଲିଲା ବିଦ୍ୟାଳୟ
ଆସିକା (ୱାଇଏନ୍ଏସ୍): ଖରାଛୁଟି ଶେଷ ପରେ ଶୁକ୍ରବାର ଠାରୁ ବିଦ୍ୟାଳୟ ଗୁଡିକ ଖୋଲିବା ସାଙ୍ଗକୁ ସ୍ୱଭାବିକ ଭାବେ ପାଠପଢା ଆରମ୍ଭ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ଥିବା ୩୪ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକ ମଧ୍ୟରୁ ଅଧିକାଂଶ ହାଇସ୍କୁଲକୁ ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ଚାଉଳ ପହଞ୍ଚନଥିବା ଜଣାପଡିଛି । ଯାହାକୁ ନେଇ ଅଧିକାଂଶ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିଚାଳନାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଗତ ଏପ୍ରିଲ ମାସରୁ ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଅଞ୍ଚଳରେ ଥିବା ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଚାଉଳ ଆସିନଥିବା ବେଳେ କେତେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସିକ ଅଶାନ୍ତି ଓ ଦୁଶ୍ଚିନ୍ତାରେ ଗତି କରିବା ସାଙ୍ଗକୁ କେବଳ ନିଜ ଚାକିରୀକୁ ବଞ୍ଚାଇବା ଓ ଶିକ୍ଷାବିଭାଗର ସମ୍ମାନକୁ ଅତୁଟ ରଖିବା ପାଇଁ ଧାରଉଦ୍ଧାରରେ ଚାଉଳ ଆଣି ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା ଚର୍ଚ୍ଚା ହେଉଛି । ବିଦ୍ୟାଳୟ ଗୁଡିକରେ ଉତ୍ତମ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ପରିବେଶଣ ପାଇଁ ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିଲା ବେଳେ କେଉଁ ପରିସ୍ଥିତିରେ ଗ୍ରୀଷ୍ମଅବକାଶ ଶେଷ ହୋଇ ପାଠପଢା ଆରମ୍ଭ ହୋଇସାରିଥିଲେ ବି ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା କେତେକ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ହୋଇପାରିଲା ନାହିଁ ତାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ ହିଁ ଯେପରି କୌଣସି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧ୍ୟାନ ଦେବାକୁ ପରାମର୍ଶ ବି ଦିଆଯାଇଛି । ଗ୍ରୀଷ୍ମ ଅବକାଶ ଶେଷ ହୋଇ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଧିକାଂଶ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟାହ୍ନ ଭୋଜନ ରନ୍ଧନ ପାଇଁ ଚାଉଳ ନ ପାଇବା ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଓ ମଧ୍ୟାହ୍ନ ଭୋଜନ ସୁପରିଚାଳନା ଦୃଷ୍ଟିରୁ ନିଶ୍ଚିତ ଭାବେ ଘଟଣା ସଂକ୍ରାନ୍ତରେ ଶିକ୍ଷାବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପଦକ୍ଷେପ ନିଆଯିବ । ଆସିକା ବ୍ଳକ ଓ ଏନ୍ଏସିି ଅଧୀନସ୍ଥ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କ ସକାଶେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ପାଇଁ ପ୍ରକୃତରେ ପ୍ରଶାସନ ପକ୍ଷରୁ ପରିବହନ ଠିକାଦାର ରୂପେ କିଏ ନିଯୁକ୍ତି ପାଇଛି ଓ କିଏ ଯୋଗାଣ କରୁଛି ତାହାକୁ ନେଇ ସଚେତନ ନାଗରିକ ମହଲରେ ନାନା କଥା ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ର ପୋଷଣ ଯୋଜନାରେ ସାମିଲ୍ କରାଯାଇ ଗତ ଏପ୍ରିଲ ମାସ ୨ ତାରିଖରୁ ମଧ୍ୟାହ୍ନ ଭୋଜନ ପରିବେଶଣ କରାଯାଉଛି । ତେବେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ ଟି କ୍ଳଷ୍ଟର ଅଧିନରେ ଥିବା ଯେଉଁ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ସେହି ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ପରିଚାଳନାରେ ସେଭଳି କୌଣସି ସମସ୍ୟା ସୃôଷ୍ଟି ହୋଇନଥିଲା ବେଳେ ଯେଉଁ ହାଇସ୍କୁଲ ଗୁଡିକରେ କେବଳ ନବମ ଓ ଦଶମ ଶ୍ରେଣୀର ଛାତ୍ର୍ରଛାତ୍ରୀ ପାଠ ପଢୁଛନ୍ତି ସେହି ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ରନ୍ଧନ ପାଇଁ ଚାଉଳ ପହଞ୍ଚିନଥିବାରୁ ଉକ୍ତ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇ ଭାଗ୍ୟକୁ ଆଦରି ମଧ୍ୟାହ୍ନ ଭୋଜନ ସୁପରିଚାଳନା କରୁଥିବା ଦେଖିବାକୁ ମିଳୁଛି । ପ୍ରକୃତରେ ଆସିକା ଅଞ୍ଚଳର ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସକାଶେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଉଠାଣ କରାଯାଇଛି କି ନାହିଁ ତାହାର ଏକ ନିରପେକ୍ଷ ତଦନ୍ତ କରିବା ସାଂପ୍ରତିକ ପରିସ୍ଥିିତିରେ ଜରୁରୀ ହୋଇପଡିଛି ବୋଲି ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଅଞ୍ଚଳର ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସକାଶେ ମଧ୍ୟାହ୍ନ ଭୋଜନ ରନ୍ଧନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକୀୟ ଚାଉଳ ଯୋଗାଇବା ପାଇଁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।