ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ ଘଟଣା : ପାଞ୍ଚ ଅଭିଯୁକ୍ତ ଗିରଫ, ଖଣ୍ଡା ଓ କାତି ଜବତ
ପୋଲସରା (ଓ୍ବାଇଏନଏସ): ପୋଲସରା ପୋଲିସ ଥାନା ନିକଟ କଳମ୍ବ ସାହି ଛକ ସ୍ଥିତ ପରିବା ଦୋକାନରେ ଜୁଲାଇ ୨୨ ତାରିଖ ସକାଳେ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଘଟି ଗୁଡୁ ଓରଫ ରାକେଶ ପ୍ରଧାନ ମୃତ୍ୟୁବରଣ କରିଥିଲେ । ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଜୁଲାଇ ୨୩ ତାରିଖ ଦିନ ଗିରଫ କରିବାରେ ସଫଳ ହୋଇପାରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୋଲସରାର ମାଧବ ପୃଷ୍ଟି ସାହିର ନାନକ ଜେନା (୨୩), ରୁଦ୍ର ପ୍ରସାଦ ସାହୁ (୧୯), ବାବୁ ପ୍ରଧାନ (୩୨) ଓ ମାଳି ସାହିର ସୁଦାମ ମହାପାତ୍ର (୨୧) ଏବଂ କୁଆନନ୍ଦ ଗ୍ରାମର ରାଜା ଜେନା (୨୨) । ଏହି ଯୁବକମାନେ ଗୁଡୁ ଓରଫ ରାକେଶ ପ୍ରଧାନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା, ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ପ୍ରଦାନ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥବା ଦୁଇଟି ଖଣ୍ଡା ଓ କାତି ଜବତ ହୋଇଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବହୁ ଅପରାଧିକ ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି। ବିଭିନ୍ନ ଘଟଣାକୁ ନେଇ ବାରମ୍ବାର ଉଭୟ ପକ୍ଷରୁ ଅଭିଯୋଗ ପୋଲସରା ଥାନାରେ ହୋଇଅଛି। ଉକ୍ତ ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ସମ୍ପର୍କୀୟ ଭାଇ ଜାନକୀ ବଲ୍ଲଭ ପ୍ରଧାନ ପୋଲସରା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ ଏନେଇ ପୋଲସରା ପୋଲିସ ଥାନା କେସ ନଂ ୫୨୦/୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ସଫଳ ହୋଇଥିଲେ। ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ଜୁଲାଇ ୨୩ ତାରିଖ ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଛି।


