ଆରମ୍ଭ ହେଲା ଯୁକ୍ତ୨ ପ୍ରଥମ ବର୍ଷ ପାଠପଢା

ଆସିକା  (ୱାଇଏନ୍‍ଏସ୍‍) : ସ୍କୁଲ ଶିକ୍ଷା ସରିବା ପରେ ଗୁରବାର ଥିଲା କଲେଜ ଜୀବନର ପ୍ରଥମ ଦିନ। କଲେଜ ୟୁନିଫର୍ମ ପିନ୍ଧି କଲେଜ ହତା ମଧ୍ୟକୁ ପ୍ରବେଶ କରିବା ସମୟରେ ନବାଗତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ, ଆଶଙ୍କା ଓ ସଙ୍କୋଚ। ଗତ କିଛି ଦିନ ହେଲା ନୀରବ ରହିଥିବା କଲେଜ କ୍ୟାମ୍ପସ୍‌ରେ ଦେଖାଦେଇଥିଲା ଗହଳ ଚହଳ। ଯୁକ୍ତ୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ର ମାନଙ୍କ ମଧ୍ୟରୁ କେତେକ ସାଇକେଲରେ କଲେଜ ଆସିଥିବା ବେଳେ ଅଧିକାଂଶ ଛାତ୍ରୀ ନିଜ ନିଜ ଅଭିବାବକ ମାନଙ୍କ ସହ କଲେଜରେ ପହଞ୍ଚିଥିଲେ। ଯେଉଁ ବିଦ୍ୟାର୍ଥୀ ମାନେ ଦୁରଦୁରାନ୍ତରୁ ଆସିଥିଲେ ସେମାନେ କୌଣସି ଏକ କୋଣରେ ଠିଆ ହୋଇଥିଲେ ହେଲେ ଅନ୍ୟ ଯେଉଁ ମାନେ ଆସିକା ସହରରୁ ଆସିଥିଲେ ସେମାନେ ଏକାଠି ହୋଇ ଗପିବା ଆରମ୍ଭ କରିଦେଇଥିଲେ କାରଣ ସେମାନେ ଥିଲେ ଗୋଟିଏ ହାଇସ୍କୁଲର ସହପାଠୀ। ପୁରୁଣା ସାଥୀ ହୋଇଥିବା ଯୋଗୁଁ ହାତ ଧରି ସମସ୍ତେ ମହାବିଦ୍ୟାଳୟ ସାରା ଘୁରି ବୁଲୁଥିଲେ। କଲେଜରେ ନଥିଲା ସ୍କୁଲର ଅନୁଶାସନ। ସେମାନେ ଯେମିତି ମୁକ୍ତ ଥିଲେ। ଅନେକଙ୍କ ପାଇଁ ଅଚିହ୍ନା, ଅଜଣା ଥିଲେ ସମସ୍ତେ। କୁହାଯାଏ ଘନିଷ୍ଟତା ଓ ନିବିଡତା ତିଆରି ହୁଏ ହାଏ….. ହ୍ୟାଲୋ ପଦରୁ ଜଣେ ଅନ୍ୟର ପରିଚୟ ପଚାରୁଥିଲେ। ଘର ଠିକଣା, ବାପାଙ୍କ ବୃତ୍ତି, ସ୍କୁଲ ଜୀବନ ଏବଂ ଭବିଷ୍ୟତରେ କଣ ହେବାକୁ ଇଛା ରଖିଛନ୍ତି ଆଦି ପଚାରିବାରେ କଲେଜ ଜୀବନର ପ୍ରଥମ ଦିନ ବିତି ଯାଇଥିଲା ଲକ୍ଷ୍ୟ କରାଯାଇଥିଲା। ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆସିକା ସରକାରୀ ନିରଞ୍ଜନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରସ୍ୱତୀ ବିଦ୍ୟାମନ୍ଦିର ଯୁକ୍ତ ୨ ମହାବିଦ୍ୟାଳୟ, ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମେକ୍‌ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମବର୍ଷ ବିଦ୍ୟାର୍ଥୀଙ୍କ ପାଠପଢା ଗୁରବାର ଠାରୁ ଆରମ୍ଭ ହୋଇଯାଇଥିବା ବେଳେ ସ୍କୁଲ ଶିକ୍ଷା ଶେଷ ପରେ କଲେଜମାଟିରେ ପ୍ରଥମ କରି ପାଦ ଥାପିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କତ୍ତୃପକ୍ଷ କଲେଜର ବିଭିନ୍ନ ନୀତିନିୟମ ସାଙ୍ଗକୁ ପ୍ରାକ୍ଟିକାଲ୍ ଓ ଥିଓରି କ୍ଳାସ୍ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭର ପ୍ରଥମ ଦିବସରେ ଇଣ୍ଡକ୍ସନ୍ କ୍ଳାସ୍ ହୋଇଥିଲା ବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କଲେଜର ଇତିହାସ, ନୀତିନିୟମ ଓ ଭବିଷ୍ୟତ କ୍ୟାରିୟର୍‍ ସଂପର୍କରେ ଅବଗତ କରାଇଥିଲେ । ଆସିକା ବ୍ଲକ ଓ ଏନ୍‍ଏସି ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ଓ ପାଠପଢାର ଅନୁଭୂତି ପରସ୍ପରକୁ ବଖାଣି ଭାବର ଆଦାନ ପ୍ରଦାନ ସହ ହାଏ, ହ୍ୟାଲୋ କରୁଥିବା ଦେଖିବାକୁ ମିଳିଥିଲା । ପାଠପଢା ଆରମ୍ଭର ପ୍ରଥମ ଦିବସରେ ନୁଆଁକରି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଦିଗ୍‍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୁଆଁକରି ଶିକ୍ଷାନୁଷ୍ଠାନକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷାର ଗୁରୁତ୍ୱ ସଂପର୍କରେ ଅବଗତ କରାଯିବା ସାଙ୍ଗକୁ ଶ୍ରେଣୀଗୃହ, ପରୀକ୍ଷାଗାର, ଶିକ୍ଷାନୁଷ୍ଠାନର ଇତିହାସ ଉପରେ ସୂଚନା ଦିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ