ଆଜି ଜାତୀୟ କ୍ରୀଡା ଦିବସ: ଶୈକ୍ଷିକ ଜୀବନରେ ଛାତ୍ରଛାତ୍ରୀଙ୍କୁ ମିଳୁନି ଆବଶ୍ୟକୀୟ ଖେଳକୁଦ ସୁବିଧା
ଆସିକା (ୱାଇଏନ୍ଏସ୍) : ଶୁକ୍ରବାର ଜାତୀୟ କ୍ରୀଡା ଦିବସ । କ୍ରୀଡା ଜଗତ ପାଇଁ ଏହି ଦିନର ବେଶ୍ ଗୁରୁତ୍ୱ ରହିଛି । ହକିର ଯାଦୁଗର ରୂପେ ପରିଚିତ ଥିବା ପ୍ରସିଦ୍ଧ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ । କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । କିନ୍ତୁ ଦେଶ ସ୍ୱାଧୀନତାର ଦୀର୍ଘ ୭୮ବର୍ଷ ପରେ ବି ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଶତାଧିକ ଶିକ୍ଷାନୁଷ୍ଟାନରେ ଭିତ୍ତିଭୂମୀ ସୁଦୃଢ ଥିବା ଖେଳ ପଡିଆଟିଏ ନଥିବା ଯୋଗୁଁ କ୍ରୀଡାର ବିଶେଷ ଉନ୍ନତି ହୋଇପାରିନଥିବା ଅଭିଯୋଗ ହେଉଛି । ସେହିଭଳି ଖେଳାଳୀଙ୍କୁ ବିଭିନ୍ନ ଖେଳର ପ୍ରଶିକ୍ଷଣ ଦେବା ପାଇଁ ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡିକରେ ଆବଶ୍ୟକୀୟ କୋଚ୍ ମଧ୍ୟ ନାହାନ୍ତି । ଆସିକା ସୋନା ମିଞ୍ôଚନ ଟାଉନ ହଲର ଭଲିବଲ ଖେଳାଳୀମାନେ ଅତୀତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜର ଖେଳ ପ୍ରଦର୍ଶନ କରି ବିଭିନ୍ନ ପୁରସ୍କାର ପାଇବାର ନଜିର ରହିଛି । ସେହିପରି ଆସିକା ସୋନାମିଞ୍ôଚନ ଟାଉନହଲର ଖେଳପଡିଆରେ ବହୁବାର ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଆସିକା ଅଞ୍ଚଳର ଆଗଧାଡିର ଭଲିବଲ ଖେଳାଳୀ ଦିଲୀପ କୁମାର ପାଣିଗ୍ରାହୀ, ଏମ୍. ତାରିଣୀ ସେନାପତି, ଲିଙ୍ଗରାଜ ପଣ୍ଡା, ସ୍ୱଦେଶ କୁମାର ଦଳେଇ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ବୀର ମିଶ୍ର, ଚିନା ରେଡି, କାଳିଆ ଦୋରା, ରାମହରି ପାଢୀ, ସ୍ୱର୍ଗତ ଭାସ୍କର ମହାରଣା, ସ୍ୱର୍ଗତ ମାଗତା ସ୍ୱାଇଁ, ସ୍ୱର୍ଗତ ରାଜୁ ଜେନା, ସ୍ୱର୍ଗତ ଗୋବିନ୍ଦ ବେହେରା, ସ୍ୱର୍ଗତ ଶମ୍ଭୁ ଚୌଧୁରୀଙ୍କ ଭଳି ଭଲିବଲ ଖେଳାଳୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅତୀତରେ ଅନୁଷ୍ଠିତ ହୋଇଥିବା ଭଲିବଲ ଟୁର୍ଣ୍ଣାମେଣ୍ଟରେ ନିଜର ଖେଳ ପ୍ରଦର୍ଶନ କରି ଭଲିବଲ ଖେଳରେ ଆସିକା ଅଞ୍ଚଳର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଥିବା ନଜିର ରହିଛି । ତେବେ ବିଗତ କିଛି ବର୍ଷ ହେଲା ଭିତ୍ତିଭୂମିର ଅଭାବ ଯୋଗୁଁ କ୍ରୀଡାର ବିକାଶରେ ପ୍ରତିବନ୍ଧକ ସାଜିଛି । ବିଶ୍ୱ କ୍ରୀଡା ଜଗତରେ ଯେଉଁ ମହାନ୍ ଖେଳାଳି ମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେମାନଙ୍କ କ୍ରୀଡା ଜୀବନ ସ୍କୁଲ ସ୍ତରରୁ ଆରମ୍ଭ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରାୟତଃ ସବୁ ଦେଶରେ ବିଦ୍ୟାଳୟ ସ୍ତରରେ କ୍ରୀଡା ପ୍ରତିଭା ବିକାଶ ପାଇଁ ପଦକ୍ଷେପ ନିଆଯାଇଥାଏ। ଶିକ୍ଷାବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ବହୁବିଧ ପଦକ୍ଷେପ ନିଅ।।ଯାଉଥିଲେ ମଧ୍ୟ ବିଦ୍ୟାଳୟ ଗୁଡିକରେ ଖେଳାପଡିଆ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି। ପିଲାଙ୍କ ମଧ୍ୟରେ କ୍ରୀଡା ପ୍ରତି ପ୍ରବଳ ଆଗ୍ରହ ରହିଥିଲେ ମଧ୍ୟ ଆବଶ୍ୟକ ଖେଳପଡିଆର ଅଭାବ ଲାଗି ରହିଛି। ଯେଉଁ ଆସିକା ଅଞ୍ଚଳ ଅତୀତରେ ବହୁ ପ୍ରତିଭାବାନ ଖେଳାଳୀଙ୍କୁ ସୃଷ୍ଟି କରି ରାଜ୍ୟ ଓ ରାଜ୍ୟ ବାହାରେ କ୍ରୀଡା ଜଗତକୁ ଭେଟି ଦେଇଛି ସେହି ଆସିକା ଅଞ୍ଚଳରେ ବିଗତ କିଛି ବର୍ଷ ହେଲା ପ୍ରାୟତଃ ଆଉ ନୂଆଁ କ୍ରୀଡା ପ୍ରତିଭା ସୃଷ୍ଟି ହୋଇପାରୁ ନାହିଁ ବୋଲି ଆଲୋଚିତ ହେଉଛି। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୩ଟି କ୍ଳଷ୍ଟରରେ ଥିବା ବହୁ ଶିକ୍ଷାନୁଷ୍ଟାନରେ ଆବଶ୍ୟକୀୟ ଭିତ୍ତିଭୁମୀ ଥିବା ଖେଳପଡିଆ ନଥିବା ଜଣାପଡିଛି। ଶିକ୍ଷାଅଧିକାର ଆଇନ- ୨୦୦୯ ଅନୁଯାୟୀ ପ୍ରତ୍ୟେକ ସ୍କୁଲରେ ଖେଳପଡିଆ ରହିବା ଅବଶ୍ୟକ। କିନ୍ତୁ ସରକାରଙ୍କ ଏହି ଶିକ୍ଷାଅଧିକାର ଆଇନ ଆସିକା ଅଞ୍ଚଳରେ ବାଟବଣା ହୋଇଯାଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି। ଆସିକା ଅଞ୍ଚଳର ଜଣାଶୁଣା କ୍ରୀଡା ପ୍ରେମୀ ଏମ୍ ତାରିଣୀ ସେନାପତିଙ୍କ କହିବାନୁଯାୟୀ ବିଦ୍ୟାଳୟ ଗୁଡିକରେ ଖେଳପଡିଆ ନାହିଁ ସତ କିନ୍ତୁ ପ୍ରତିବର୍ଷ କ୍ରୀଡାପ୍ରତି ଯୋଗିତା ଆୟୋଜନ କରାଯାଉଛି। ନାନା କାରଣରୁ ପ୍ରତିଯୋଗିତା ଗୁଡିକରେ ପ୍ରତିଯୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ଦ୍ରୁତ ଗତିରେ କମିବାରେ ଲାଗିଛି। ହାତଗଣତି କେତେକ ସ୍କୁଲକୁ ଛାଡିଦେଲେ ଅନେକ ସ୍କୁଲର ପ୍ରତିନିଧିତ୍ୱ ମଧ୍ୟ ରହୁ ନାହିଁ। ଯାହାରି ଫଳରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଗୁଡିକରେ ଆସିକା ଅଞ୍ଚଳରୁ ପ୍ରତିନିଧିତ୍ୱ କମିବାରେ ଲାଗିଛି। ପଦକ ଆଶା ତ ଦୁରରେ ଥାଉ ଇଭେଣ୍ଟ ଭାଗ ନେବା ପାଇଁ ବିଭିନ୍ନ ସମୟରେ ପିଲା ମିଳୁ ନାହାନ୍ତି। ଶିକ୍ଷାନୁଷ୍ଟାନ ଗୁଡିକରେ ଖେଳ ପଡିଆ ନଥିବାରୁ କ୍ରୀଡା ଶ୍ରେଣୀ ସମୟରେ ଅନ୍ୟ ବିଷୟରେ ପାଠ ପଢାଯାଉଛି। ସରକାରୀ ସ୍କୁଲ ଗୁଡିକରେ କ୍ରୀଡା ଶିକ୍ଷକ ନିଯୁକ୍ତି ପାଇଥିଲେ ମଧ୍ୟ ଖେଳ ପଡିଆ ନଥିଲେ ଶିକ୍ଷକ ମାନେ ତାଲିମ କେଉଁଠି ଦେବେ। ଆସିକା ଅଞ୍ଚଳରେ ଥିବା ନିରଞ୍ଜନ ମହିଳା ମହାବିଦ୍ୟାଳୟ ଓ ମେକ୍ ମାଇକେଲ ସଂସ୍କୃତ ମହାବିଦ୍ୟାଳୟରେ ମଧ୍ୟ କ୍ରୀଡା ଶିକ୍ଷକ ନଥିବା ଜଣାପଡିଛି । କ୍ରୀଡାର ଏନ୍ତୁଡିଶାଳ ଭାବେ ଆସିକା ପରିଚିତ । ଅତୀତରେ ଏଠାରୁ ବହୁ ଖେଳାଳୀ ବିଭିନ୍ନ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ଦକ୍ଷତା ପ୍ରଦର୍ଶନ କରିବା ସହ ଗୌରବ ହାସଲ କରିଥିବା ନଜିର ରହିଛି । ତେବେ ଆବଶ୍ୟକୀୟ ଭିତ୍ତିଭୂମୀ ଅଭାବରୁ ଅଧିକାଂଶ ଯୁବପିଢୀ କ୍ରୀଡାରୁ ମୁହଁ ଫେରାଇବାରେ ଲାଗିଛି । କ୍ରୀଡାର ବିକାଶ ଲାଗି ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ଆସିକା ଅଞ୍ଚଳରେ କ୍ରୀଡାର ବିକାଶ ତ ଦୂରର କଥା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ ଖେଳପଡିଆ ନାହିଁ । ଖେଳପଡିଆ ନଥିଲେ ଘରୋଇ ସ୍କୁଲ ଗୁଡିକୁ ସିଓଆର୍ (ସାର୍ଟିଫିକେଟ୍ ଅଫ୍ ରେକଗ୍ନିସନ୍) ମିଳିପାରିବନି । ହେଲେ ଆସିକା ଅଞ୍ଚଳର ବହୁ ବେସରକାରୀ ବିଦ୍ୟାଳୟର ଭିତ୍ତିଭୂମୀ ସାଙ୍ଗକୁ ଖେଳପଡିଆ ନଥାଇ ମଧ୍ୟ ସିଓଆର୍ ମିଳିଥିବା ଚର୍ଚ୍ଚା ହେଉଛି । ଖେଳକୁଦ ମନକୁ ପ୍ରଫୁଲ ରଖେ । ସେଥିପାଇଁ ପ୍ରତ୍ୟେକ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଖେଳକୁଦ ପାଇଁ ସମୟ (ପିରିୟଡ୍) ଥାଏ । ତେବେ ଆସିକା ଅଞ୍ଚଳର ଅଧିକାଂଶ ସରକାରୀ ଶିକ୍ଷାନୁଷ୍ଠାନରେ ଖେଳପଡିଆ ନଥିବାରୁ ଶହ ଶହ ଛାତ୍ରଛାତ୍ରୀ ଶୈକ୍ଷିକ ଜୀବନରେ ଖେଳକୁଦରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ଯାହାରି ଫଳରେ ସାପ୍ତାହିକ ଖେଳ ପିରିୟଡରେ ବହୁ ବିଦ୍ୟାର୍ଥୀ ଶ୍ରେଣୀଗୃହରେ କଟାଉଥିବା ବେଳେ ଅନ୍ୟ କେତେକ ବିଦ୍ୟାଳୟରେ ସଙ୍କୁଚିତ ପଡିଆରେ ବିଦ୍ୟାର୍ଥୀମାନେ ଖେଳୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କ୍ରୀଡାର ବିକାଶ ଲାଗି ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ସୁଦୃଢ କରି ଖେଳପଡିଆ ନିର୍ମାଣ କରିବା ସହ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ କ୍ରୀଡା ଶିକ୍ଷକ ନିଯୁକ୍ତି କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।


