ଗୋଦାମ ଗୃହ ସ୍ଥାନ ଚୟନକୁ ନେଇ ବିବାଦ: ବସନ୍ତିଆ ସେବା ସମବାୟ ସମିତିରେ ତାଲା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ବସନ୍ତିଆ ସେବା ସମବାୟ ସମିତି ଆଜକୁ ୬୦ ବର୍ଷ ଧରି ବସନ୍ତିଆ ମୁଖ୍ୟ ବଜାର ନିକଟରେ କାର୍ଯ୍ୟ କରି ଆସୁଛି । ଏଠାରେ ନୂତନ ଗୋଦାମ ଗୃହ ନିର୍ମାଣ କରିବା ନେଇ ଆଜକୁ ୮ ମାସ ହେବ ପରିତ୍ୟକ୍ତ ଗୃହକୁ ଭଙ୍ଗାଯାଇଛି । ଏହି ନୂତନ ଗୋଦାମ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଉକ୍ତ ସେବା ସମବାୟ ସମିତି ଅଧିନରେ ବସନ୍ତିଆ, ରାମଚନ୍ଦ୍ରପୁର ସମେତ ଆଡିଆ ଗ୍ରାମ ପଞ୍ଚାୟତର ଆଶିଂକ ରହିଛି । ଏହି ସମିତିର କେନ୍ଦ୍ର ସ୍ଥଳ ତଥା ବସନ୍ତିଆ ସମବାୟ ସମିତି କାର୍ଯ୍ୟାଳୟ ଠାରେ ନୂତନ ଗୋଦମ ଗୃହ ନିର୍ମାଣ ପାଇଁ ବୋର୍ଡ ସଭ୍ୟ ସମେତ ପଞ୍ଚାୟତର ଅଧିକାଂଶ ୱାର୍ଡର ଅଗ୍ରଣୀ ଚାଷୀ ମାନେ ଚାହୁଁଛନ୍ତି । ଏପରିସ୍ଥଳେ ଉକ୍ତ ସମିତିର ସଭାପତି ଓ ସମ୍ପାଦକ ଚଞ୍ଚକତା କରି ସମିତି କାର୍ଯ୍ୟାଳୟ ଠାରୁ ୫ କି.ମି. ଦୂର ବରକୋଣା ଠାରେ ନୂତନ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ମସୁଧା ଚଳାଇଛନ୍ତି । ଏଥିରେ ଅସନ୍ତୋଷ ପ୍ରକାଶ କରି ସମିତିର ବୋର୍ଡ ସଭ୍ୟ ମାନେ ସମିତି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ତାଲା ପଡିବା ଫଳରେ ସମିତି କାର୍ଯ୍ୟରେ ବାଧା ଉପୁଜିବା ସହିତ ଚାଷୀୀ ମାନେ ସାର, କୀଟନାଶକ ଆଦି ସାମଗ୍ରୀ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ ବରକୋଣା ଠାରେ ନୂତନ ଗୋଦାମ ଗୃହ ନିର୍ମାଣ ନେଇ ସମିତି ପକ୍ଷରୁ କୌଣସି ବୈଠକ ହୋଇ ନାହିଁ କି ସିଦ୍ଧାନ୍ତ ଗ୍ରହଣ କରାଯାଇନାହିଁ ବୋଲି ବୋର୍ଡ ସଭ୍ୟ ରଜତ ମୈକାପ, ଆନନ୍ଦ ଚନ୍ଦ୍ର ଓଝା, ସୁଶୀଲ ମୈକାପ, ସତ୍ୟବ୍ରତ ସାହୁ, ବିଶ୍ୱ ରଞ୍ଜନ ପାଇକରାୟ, ନିରଞ୍ଜନ ମଲ୍ଲିକ୍ ପ୍ରମୁଖ ସମ୍ପାଦକଙ୍କୁ ଲିଖିତ ଭାବେ ଜଣାଇ ମୂଳ ସ୍ଥାନରେ ଗୋଦମ ଗୃହ ନିର୍ମାଣ ପାଇଁ ଦୃଢ ଦାବୀ କରିଛନ୍ତି । ବରକୋଣା ଠାରେ ଗୋଦମ ଗୃହ ନିର୍ମାଣ ହେଲେ ବସନ୍ତିଆ, ସିଲନ୍ଦି, ଓ ମନୋହରପୁର ଅଞ୍ଚଳର ଚାଷୀମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ