ଘୁମୁସର ଜିଲ୍ଲା ଗଠନ ପାଇଁ ଘୁମୁସରବାସୀଙ୍କ ମେଳି
ବୁଗୁଡା, (ଅନୀଲ କୁମାର ମହାରଣା) : ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଶାସ୍ତ୍ର ଓ ଶସ୍ତ୍ରର ମାଟି, ଘୁମୁସର ଆଜି ଅବହେଳିତ। ହଜାର ବର୍ଷର ଭଞ୍ଜ ରାଜବଂଶ ଶାସନ, ଓଡିଆ ଭାଷ ସୁରକ୍ଷା ଆନ୍ଦୋଳନର ଏନ୍ତୁଡିଶାଳା , କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମଭୂମି, ପରାଧୀନ ଭାରତର ଇଂରାଜୀ ଶାସକଙ୍କ ନିଦ ହଜେଇଥିବା ବୀର ଚକରା ବିଶୋଈଙ୍କ ରଣ ଭୂମି, ଘୁମୁସର ଅଞ୍ଚଳରେ ସ୍ଵାଧୀନତା ପରଠାରୁ ଆଖିଦୃଶିଆ ବିକାଶ ହୋଇନାହିଁ I ଯାହା ଫଳରେ ଘୁମୁସର ଉନ୍ନୟନ ମଂଚର ଏକ ସାଧାରଣ ସଭା ଭଞ୍ଜନଗର ପାତ୍ରପଡାର କନଭେସନ ସଭାଗୃହରେ ସଂଗଠନର ସଭାପତି ବାଲ୍ମୀକି ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ବିକାଶ ପରିଷଦର ସଭାପତି ଆଡଭୋକେଟ ସୋମନାଥ ନାୟକ ସଭା ପରିଚାଳନା କରିଥିଲେ। ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ କୁମାର ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅତିଥି ଭାବେ ବିଜେପିର ବରିଷ୍ଠ ନେତା ମହେଶ୍ଵର ମହାନ୍ତି, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଭାସ୍କର ପଟ୍ଟନାୟକ, ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ, ଡକ୍ଟର ଶିବପ୍ରସାଦ ଅଧିକାରୀ, ଡକ୍ଟର ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଭି. ଏଙ୍କେଡ ରତ୍ନ ପାତ୍ର, ଇଂ. ଲିଙ୍ଗରାଜ ଗୌଡ଼, କଳାକାର ସୁବାଶ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଦାମ ଭଟ୍ଟମିଶ୍ର, ବିଶିଷ୍ଟ ସମାଜସେବୀ ନବ କୁମାର ପୃଷ୍ଟି, ଡକ୍ଟର ତାରିଣୀ ପାତ୍ର, ଦିଲ୍ଲୀପ ବିଶୋଈ, ପ୍ରକାଶ ଚନ୍ଦ୍ର ସାହୁ, ଆଇନଜୀବୀ ପ୍ରାର୍ଥ ସାମନ୍ତରା, ବାଲ୍ମୀକି ପାତ୍ର, ରବିନାରାୟଣ ସାମନ୍ତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଘୁମୁସର ଜିଲ୍ଲା ଗଠନ ଦାବି ଉପରେ ସବିଶେଷ ଆଲୋଚନା ହୋଇଥିଲା। ରାଜ୍ୟ ବିଧାନ ସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା, ଭଞ୍ଜଙ୍କନାମରେ ଡାକଟିକଟ ଓ ବୈଦେହୀ ନାମରେ ଟ୍ରେନ ପ୍ରଚଳନ, ୧୦୩ ବର୍ଷର ପୁରାତନ ଦାବୀ ଭଞ୍ଜନଗରକୁ ରେଳ ପଥ ନିର୍ମାଣ, ଘୁମୁସରର ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଘୁମୁସର ମହୋତ୍ସବ ପାଳନ, ଘୁମୁସର ବିକାଶ ପାଇଁ ସ୍ଵତନ୍ତ୍ର ବଜେଟ ଓ ରାଜଧାନୀରେ ଘୁମୁସରିଆଙ୍କ କାର୍ଯ୍ୟାଳୟ ଖୋଲିବା ପ୍ରଭୃତି ଦାବୀ ସଭାରେ ଗୃହୀତ ହୋଇଥିଲା। ସରକାର ଗଠନ ହେବାର ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଆ ଭାଷାର ସାଧନାପୀଠ ଓ ଭଞ୍ଜଭୂମୀରେ ପାଦ ଦେଇନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଆଗାମୀ ଡିସେମ୍ବର ୧୩ ଓ ୧୪ରେ ଘୁମୁସର ମହୋତ୍ସବ ଅନୁଷ୍ଟିତ ହେବାକୁ ସ୍ଥିର ହେବ ସହ ଏକ ୨୧ଜଣିଆ ଯୁବଗୋଷ୍ଟିଙ୍କୁ ନେଇ କୋର କମିଟି ଗଠନ କରାଯାଇ ଦାବୀପୂରଣ ହେଲା ପର୍ଯ୍ୟନ୍ତ ସାଙ୍ଗଠାନିକ କାର୍ଯ୍ୟ ଜାରି ରଖିବେ। ଶେଷରେ ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।