୧୦ ମାସ ବିତିଲା ମିଳିଲାନି ମଣ୍ଡି ରେ ଦେଇଥିବା ଧାନର ପାଉଣା: ଦୌଡ଼ି ଦୌଡ଼ି ଚାଷୀ ହତାଶ
ହାଟଡିହି(ଓ୍ବାଇଏନଏସ): ମନ୍ଦିରେ ଧାନ ଦେଲେ ୨୪ଘଣ୍ଟା ଭିତରେ ଚାଷୀକୁ ତାର ପ୍ରାପ୍ୟ ଦେବାର ନିୟମ ଥିବାବେଳେ କେନ୍ଦୁଝର ଜିଲ୍ଲାରେ ତାହାର ବ୍ୟତିକ୍ରମ ଦେଖା ଦେଇଛି। ଜଣେ ଚାଷୀ ଧାନ ଦେବାର ୧୦ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ପ୍ରାପ୍ୟ ପାଇ ପାରୁ ନାହାନ୍ତି। ବାରମ୍ବାର ସମିତି କୁ ଦୌଡ଼ି ଦୌଡ଼ି ନିରାଶ ହେବାପରେ ଏ ଆର ସି ଏସ, ଡିଆର ସିଏସ, କେନ୍ଦୁଝର ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନି। ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ବରାଙ୍ଗ ଗ୍ରାମର ଚାଷୀ ଶାନ୍ତିଲତା ରାଉତ ସଢା ସମବାୟ ସମିତିରେ ଖୋଲିଥିବା ମଣ୍ଡିରେ ଗତ ଜାନୁୟାରୀ ୧୦ ତାରିଖରେ ଆଖି ସ୍କାନ କରିବା ସହ ୭୫ କୁଇଣ୍ଟାଲ ଧାନ ଦେଇଥିଲେ। ତାଙ୍କ ଫାର୍ମର ଆଇ ଡି ନମ୍ବର – ଏଫ ୧୮୦୭୦୦୦୪୯୩୦। ଧାନ ପଞ୍ଜିକରଣ ବେଳେ ସେ ତାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଏକାଉଣ୍ଟ ନମ୍ବର ୫୪୦୮୧୦ ୧୧୦୦୦୭୬୯୭ ମଧ୍ୟ ଦେଇଥିଲେ। ଏହି ଧାନ ବାବଦ ତାଙ୍କୁ ୨ ଲକ୍ଷ ବତିଶି ହଜାର ପାଞ୍ଚଶହ ଟଙ୍କା ମିଳିବା କଥା। କିନ୍ତୁ ଅନେକ ଦିନ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କ ଏକାଉଣ୍ଟ କୁ ଟଙ୍କା ଆସିନଥିଲା। ସେ ଏନେଇ ସମିତିର ସମ୍ପାଦକଙ୍କୁ ଭେଟିବା ପରେ ଟୋଲ ଫ୍ରି ନମ୍ବରରେ କଲ କରିବା ପରେ ଧାନ ଟଙ୍କା ଦିଆ ସରିଥିବା ଜାଣିବାକୁ ପାଇଥିଲେ। ଶାନ୍ତିଲତା ରାଉତ ଙ୍କ ପୁଅ ଅନାଦି ରାଉତ ସଙ୍ଗେ ସଙ୍ଗେ ବ୍ୟାଙ୍କାକୁ ଯାଇ ଚେକ କରିବାରେ ଟଙ୍କା ଟିଏ ବି ଆସିନଥିବା ଜାଣିବାକୁ ପାଇଥିଲେ। ସେହିଦିନ ଠାରୁ ମା ପୁଅ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରି ଆସୁଥିଲେ ବି କିଛି ସୁଫଳ ମିଳି ନଥିବା ଅନାଦି ଅଭିଯୋଗ କରିଛନ୍ତି। ଧାନ ଟଙ୍କା ପାଇ ନଥିବାରୁ ସେ ଚାଷ ପାଇଁ କରିଥିବା ଧାର କରଜ ସୁଝି ପାରୁ ନାହାନ୍ତି। ଅନେକ ଲୋକଙ୍କ ପାଖରେ ଅପ୍ରିୟ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଧାନ ଟଙ୍କା ଅନ୍ୟ ଏକାଉଣ୍ଟ କୁ ଯାଇଥିବା ଜାଣିବା ପରେ ସେ ବିବ୍ରତ ହୋଇ ପଡିଛନ୍ତି। ସମବାୟ ସମିତି କର୍ତ୍ତୃପକ୍ଷ ଭୁଲ ଏକାଉଣ୍ଟ ନମ୍ବର ଦେଇ ଏପରି କରିଥିବା ଅଭିଯୋଗ କରିଛନ୍ତି। ଆଜି ସମବାୟ ସମିତିକୁ କିପରି ତାଙ୍କ ଟଙ୍କା ପାଇବେ ସେନେଇ ପଚାରିବାକୁ ଯାଇଥିବା ବେଳେ ସମ୍ପାଦିକା ତାଙ୍କୁ ନାଲି ଆଖି ଦେଖାଇ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି। ୭ ଦିନ ଭିତରେ କୌଣସି ପଦକ୍ଷେପ ନନେଲେ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଧାରଣା ଦିଆଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସମିତି ସମ୍ପାଦିକା ରଞ୍ଜିତା ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୂର୍ବ ସମ୍ପାଦକ ଭୁଲ ଏକାଉଣ୍ଟ ପକାଇଥିଲେ। ଆମେ ପରବର୍ତୀ ସମୟରେ ସଂଶୋଧନ କରିକି ଦେଇଥିଲୁ ଯାହା ଡି ଆରସିଏସ ଙ୍କ ଅଫିସ ରେ କରେକ୍ସନ କରାଯିବା କଥା। ମାତ୍ର ତାହା କରି ନଥିଲେ। କିପରି ସେ ଚାଷୀ ଟଙ୍କା ପାଇବେ ସେନେଇ ଆମେ ବାରମ୍ବାର ମଧ୍ୟ ଉଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ ବୋଲି ସେ କହିଛନ୍ତି।