ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ , ମନ ମୋହିଲା ଗଞ୍ଜାମ କଟ୍ଟାପା
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଅକ୍ଟୋବର ୬ ତାରିଖ ଠାରୁ ମହା ଆଡ଼ମ୍ବର ସହ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବା ସହ ଅକ୍ଟୋବର ୧୭ ତାରିଖ ଶୁକ୍ରବାର ଦିନ ମା’ ଗଜଲକ୍ଷ୍ମୀଙ୍କୁ ବିସର୍ଜନ କରାଯାଇଥିଲା। ଏହି ଗଜଲକ୍ଷ୍ମୀ ପୂଜାକାର୍ଯ୍ୟକୁ ପୁରୋହିତ ରାକେଶ କୁମାର କର ପ୍ରତିଦିନ ନୀତି ନିୟମ ପ୍ରକାରେ ସମାପନ କରିଥିବା ବେଳେ କର୍ତ୍ତା ଭାବେ ଚିତ୍ରସେନ ପଲାଇ ଓ ଶାନ୍ତି ପଳାଇ କାର୍ଯ୍ୟ ସମ୍ପାଦନା କରିଥିଲେ। ପୂଜା କମିଟି ପକ୍ଷରୁ ସୁସଜ୍ଜିତ ତୋରଣ ସାଙ୍ଗକୁ ଆଲୋକ ସଜ୍ଜାରେ ଝଲସି ଉଠୁଥିଲା ସମଗ୍ର ମୋଟାବାଡି ଗ୍ରାମ। ମା’ ଙ୍କ ପୂଜାର୍ଚ୍ଚନା ସହ ପ୍ରତିଦିନ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିଲା। ସମସ୍ତ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ମା’ଙ୍କ ପୂଜା ଆରମ୍ଭ ଠାରୁ ବିସର୍ଜନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ହୋଇଥିଲା। ଗ୍ରାମରୁ ବିଦାୟ ଦେବା ବେଳେ ମା’ ଗଜଲକ୍ଷ୍ମୀଙ୍କୁ ଖୋଳ, ଝାଞ୍ଜ, ଘଣ୍ଟ ,ଶଙ୍ଖ ବାଦ୍ୟ ବାଜଣା ବଜାଇ ସାରା ଗ୍ରାମରେ ପରିଭ୍ରମଣ କରିବା ପରେ ବିସର୍ଜନ କରିଥିଲେ। ଭସାଣୀ ସମୟରେ ଗଞ୍ଜାମ ଜିଲ୍ଲାର ଅଦ୍ୱିତୀୟ କଟ୍ଟାପା ଭାବେ ସୁଶାନ୍ତ କୁମାର ପ୍ରଧାନ ଓ ତାଙ୍କ ଦଳର ନୃତ୍ୟ ଓ ଭାବଭଙ୍ଗୀ ସମସ୍ତ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା।