କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା
କେନ୍ଦ୍ରାପଡ଼ା,:କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପୋଲିସ ପକ୍ଷରୁ ପୈାର ଟାଉନହଲ ପରିସରରେ ଆୟୋଜିତ ସଚେତନତା ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ପୈାରହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଯୋଗଦେଇ କହିଲେ ୨୦୧୦ମସିହାରେ ଇଣ୍ଟରନେଟ ସେବା ଆରମ୍ଭ ହେଲା। ଏଆରଟେଲ, ରିଲାଏନ୍ସ ଭଳି କମ୍ପାନୀମାନେ ୩ଜି ସେବା ଯୋଗାଉଥିଲେ। କିନ୍ତୁ ଇଣ୍ଟରନେଟ ପ୍ରୋଭାଇଡର ଗୁଡିକ ୫ଜି ସେବା ଆରମ୍ଭ କରିବା ପରେ ଫୋନପେ, ଗୁଗୁଲପେ, ୟୁପିଆଇ ଭଳି ଅର୍ଥ ଉଠାଣର ସୁବିଧା ସ୍ମାର୍ଟ ଫୋନ ଗୁଡିକରେ ବହୁଳମାତ୍ରାରେ ଚାଲିଲା। ଲୋକମାନେ କିଛି ନବୁଝି ନଭାବି ଓ ଚିନ୍ତା ନକରି ସନ୍ଦିଗ୍ଧ ଲିଙ୍କ ଓ ସନ୍ଦେହଯୁକ୍ତ ଆପ୍ ଗୁଡିକର ବ୍ୟବହାର କରିବା ସହିତ ନିଜ ମୋବାଇଲକୁ ଆସିଥିବା ଓଟିପି, ନିଜ ଇ-ମେଲ, ଇନଷ୍ଟାଗ୍ରାମ ଓ ଫେସବୁକର ପାସୱାର୍ଡ ସହିତ ବ୍ୟାଙ୍କ ଏଟିଏମର ପିନ ପ୍ରଭୃତି ଅଜଣା ଅଚିହ୍ନା ଲୋକଙ୍କୁ ଦେଇଦେଲେ। ଫଳରେ ସାଇବର ଅପରାଧୀମାନେ ଏହାର ସୁଯୋଗ ନେଇ ଲୋକମାନଙ୍କୁ ଲୁଟିବା ଆରମ୍ଭ କରିଦେଲେ। ଲୋକମାନେ ସାଇବର ଅପରାଧର ଶୀକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇ ସର୍ବଶାନ୍ତ ହେଲେ। ଆଜିର ଦିନରେ କମ୍ପ୍ୟୁଟର, ଲାପଟପ ଓ ମୋବାଇଲର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ ହୋଇପଡିଥିବା ବେଳେ ଆମକୁ ଅତ୍ୟନ୍ତ ସତର୍କତାର ସହ ଏସବୁର ବ୍ୟବହାର କରିବାକୁ ପଡିବ। ଏହା ସହିତ ସାଇବର ଅପରାଧୀମାନେ କଲ କଲେ ଆମକୁ ସାବଧାନ ହେବାକୁ ପଡିବ। ଏଥିସହିତ ସାଇବର ଅପରାଧର ଶୀକାର ହେଲେ ତୁରନ୍ତ ହେଲ୍ପଲାଇନ ନମ୍ବର-୧୯୩୦କୁ ଯୋଗାଯୋଗ କରିବା ସହିତ ସ୍ଥାନୀୟ ଥାନାରେ ସଙ୍ଗେ ସଙ୍ଗେ ଅଭିଯୋଗ କରିବାକୁ ଏସପି ଶ୍ରୀ କଟ୍ଟାରିଆ ପରାମର୍ଶ ଦେଇଥିଲେ। ଏବେ ରାଜ୍ୟରେ ୧୪ଟି ସାଇବର ଥାନା ଥିବା ବେଳେ ରାଜ୍ୟ ସରକାର ଆଉ ୨୦ଟି ନୂତନ ସାଇବର ଥାନା ଖୋଲିବାକୁ ଯାଉଛନ୍ତି। ସେଥିମଧ୍ୟରୁ ଗୋଟିଏ ସାଇବର ଥାନା ଖୁବଶୀଘ୍ର କେନ୍ଦ୍ରାପଡାରେ ଖୋଲିବାକୁ ଯାଉଥିବା ଏସପି ସୂଚନା ଦେଇଥିଲେ। ଏହି ଅବସରରେ ଏସପି ସାଇବର ସୁରକ୍ଷା ସଚେତନତା ରଥକୁ ଉଦଘାଟନ କରିଥିଲେ। ଏହି ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ ବୁଲି ଲୋକମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଇବ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧ ଆମ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଥିଲେ। ଲୋକମାନେ ଏବେ ସାଇବର ଅପରାଧୀଙ୍କ ଶୀକାର ହୋଇ ସର୍ବସ୍ୱ ହରାଇବା ସହିତ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଆମେ ଏବେ ସଚେତନ ନହେଲେ ଭବିଷ୍ୟତରେ ଏହା ଆମ ପାଇଁ ଏକ ମହାମାରୀରେ ପରିଣତ ହେବ ରୋଗ ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଭଳି ସାଇବର ଅପରାଧର ଶୀକାର ହେବା ପୂର୍ବରୁ ଆମକୁ ସଚେତନ ହେବାକୁ ପଡିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ୱାଳ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ,ଡିଏସପି ସରୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଡିଏସପି ଶ୍ରୀ ସାହୁ ଓ ଏସଡିପିଓ ଶ୍ରୀ ଗୈାଡ ସାଇବର ସଚେତନତା ସମ୍ପର୍କିତ ସ୍ୱରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ମାର୍ଶାଘାଇ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ କେନ୍ଦ୍ରାପଡା ଏସଡିପିଓ ଶ୍ରୀ ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ।

 
             
						 
						 
						 
						 
						 
						
