ବାଲିଯାତ୍ରା ଉଦ୍‌ଘାଟନୀ ସନ୍ଧ୍ୟାରେ ଇଣ୍ଡୋନେସିଆ ବ୍ୟାଣ୍ଡ୍‌ ଦେଖାଇବେ ଯାଦୁ: ଉଦ୍‌ଯାପନୀରେ ବିଭୋର କରିବେ ଶ୍ରେୟା

କଟକ, (ଓ୍ବାଇଏନଏସ): ପ୍ରଥମ ସନ୍ଧ୍ୟାରେ ଇଣ୍ଡୋନେସିଆର ବ୍ୟାଣ୍ଡ୍‌ର ନିଜ ଯାଦୁ ଦେଖାଇବ । ସେମିତି ଶେଷ ସନ୍ଧ୍ୟାରେ ମତୁଆଲା କରିବେ ବଲିଉଡ୍‌ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍‌ । ତା’ ମଧ୍ୟରେ କେଉଁ ମଞ୍ଚରେ ଆଦିବାସୀ ନୃତ୍ୟ, ତ ଆଉ କେଉଁ ମଞ୍ଚରେ ମଣିପୁରୀ ନାଚ । ସେମିତି ପଞ୍ଜାବର ଭାଙ୍ଗଡ଼ାରୁ ନେଇ ମଧ୍ୟପ୍ରଦେଶର ବଧାଇ ନାଚ । କେବଳ ସେତିକି ନୁହେଁ, ବଲିଉଡ୍‌ରୁ ନେଇ ଓଲିଉଡ୍‌ ଏବଂ ଜାତୀୟସ୍ତରୀୟ ରିଆଲିଟି ସୋ’ର ପ୍ରତିଯୋଗୀ ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କରିବେ । ପାରମ୍ପରିକ ନାଟକରୁ ନେଇ ସୁଫି ନାଇଟ୍‌ ଭଳି ଅନେକ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ହେବ । ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଉଭୟ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ଏଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାରୋହ ଦେଖିବାକୁ ମିଳିବ । ପ୍ରତି ସନ୍ଧ୍ୟାରେ ଲୋକପ୍ରିୟ କଳାକାରମାନେ ନାଚଗୀତରେ ଲକ୍ଷାଧିକ ଦର୍ଶକଙ୍କୁ କରିବେ ମନୋରଞ୍ଜନ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିଲାବେଳେ ରାଜ୍ୟ ସମେତ ଦେଶବିଦେଶରୁ କଳାକାରମାନେ ବାଲିଯାତ୍ରାରେ ଦେଖାଇବେ ଯାଦୁ ।ପ୍ରତିବର୍ଷ ବାଲିଯାତ୍ରାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଥାଏ । କାରଣ ସାଂସ୍କୃତିକ ସନ୍ଧ୍ୟା ହିଁ ମେଳାର କେନ୍ଦ୍ରସ୍ଥଳୀ ପାଲଟିଥାଏ । ଲୋକମାନେ ବୁଲାବୁଲି ସାଙ୍ଗକୁ ନାଚଗୀତ ଦେଖି ଘରକୁ ଫେରିଥାନ୍ତି । ଏଥିପାଇଁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଦ୍ୱାରା ଏହାକୁ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବେଶ୍‌ ଧୁମ୍‌ଧାମ୍‌ରେ ଆୟୋଜନ କରାଯାଉଛି । ଏ ବର୍ଷ ଉଦ୍‌ଯାପନୀ ଉତ୍ସବ ସନ୍ଧ୍ୟାରେ ବୈଷ୍ଣବ ପାଣି ମଞ୍ଚରେ ଇଣ୍ଡୋନେସିଆର ଏକ ଟ୍ରୁପ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ । ତାହାବାଦ୍‌ ଏଥର ଦୁଇ ଜଣ ବଲିଉଡ୍‌ କଣ୍ଠଶିଳ୍ପୀ ବାଲିଯାତ୍ରାକୁ ଆସିବେ । ଲୋକପ୍ରିୟ କଣ୍ଠଶିଳ୍ପୀ ହର୍ଷଦୀପ କୌର ଆସନ୍ତା ୭ତାରିଖରେ ଓ ଶ୍ରେୟା ଘୋଷାଲ ଶେଷ ସନ୍ଧ୍ୟା ଅର୍ଥାତ୍‌ ୧୨ତାରିଖରେ ଆସି ଲୋକଙ୍କୁ ଝୁମାଇବେ । ଏସବୁ ବାଦ୍‌ ବୈଷ୍ଣବ ପାଣି ମଞ୍ଚରେ ୯ ତାରିଖରେ ପୂର୍ବ ପ୍ରାନ୍ତୀୟ ସାଂସ୍କୃତିକ ପରିଷଦ(ଇଜେଡ୍‌ସିସି)ର କଳାକାରାଙ୍କ ଦ୍ୱାରା କଥକ ନୃତ୍ୟ, ୧୦ ତାରିଖରେ କୋଲକାତା କଳାକାରଙ୍କ ଦ୍ୱାରା ପଶ୍ଚିମବଙ୍ଗର ଲୋକନୃତ୍ୟ, ୧୧ ତାରିଖରେ ଇଜେଡ୍‌ସିସି କଳାକାରଙ୍କ ଦ୍ୱାରା ମଣିପୁରୀ ନୃତ୍ୟ ଓ କନ୍ଧମାଳ ଆଦିବାସୀ ନୃତ୍ୟ କନ୍‌ଝର ପ୍ରମୁଖ ରହିବ । ସେହିଭଳି ଅକ୍ଷୟ ମହାନ୍ତି ମଞ୍ଚରେ ଦ୍ୱିତୀୟ ସନ୍ଧ୍ୟା ତଥା ୬ ତାରିଖରେ ମଧ୍ୟପ୍ରଦେଶର ବଧାଇ ନୃତ୍ୟ, ୧୦ ତାରିଖରେ ଭାଙ୍ଗଡ଼ା ଏବଂ ଛତିଶଗଡ଼ର ଲୋକକଳା ଗେଢ଼ି, ୧୧ ତାରିଖରେ ପୁଣେର କଳାକାରଙ୍କ ଦ୍ୱାରା କଥକ ନୃତ୍ୟ ହେବ ମୁଖ୍ୟ ଆକର୍ଷଣ । ଏହାବାଦ୍‌ ସବୁ ସନ୍ଧ୍ୟାରେ ବିଭିନ୍ନ ମଞ୍ଚରେ ଜାତୀୟ ସ୍ତରୀୟ ଏବଂ ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ ମଧ୍ୟରେ ମାନସୀ ଘୋଷ, କୁମାର ବାପି, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ସ୍ୱଂୟମ୍‌ ପାଢ଼ୀ, ରୁକୁ ସୋନା, କୁଲଦୀପ୍‌ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ଓଝା, ଅର୍ପିତା ଚୌଧୁରୀ, ଈରା ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ ଓ ସୁଫି ବ୍ୟାଣ୍ଡ୍‌ ଦ୍ୱାରା ସାଂସ୍କୃତିକ ମଞ୍ଚ ଜମିବ । ଏହାସହ ଦିନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ