ନାରାୟଣ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଜଣେ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲ୍ଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀ ପଠା ରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧) ଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି।ଏହି ବହୁ ଚର୍ଚ୍ଚିତ ଯୋଜନାବଦ୍ଧ ହତ୍ୟା ଘଟଣାରେ ସମ୍ପୃକ୍ତ ନୂଆପଡ଼ା ଗାଁ ଚରିଆପଡ଼ା ସାହିର ଶଙ୍କର ଓରଫ ବାଙ୍ଗରା ବେହେରା  ଙ୍କୁ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ କରି ରବିବାର କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୫୩/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଅକ୍ଟୋବର ୧୨ ତାରିଖ ଭୋର ରେ ନାରାୟଣଙ୍କ ରକ୍ତାକ୍ତ ମୃତଦେହ ନଦୀ ପଠା ରେ ପଡ଼ିଥିବା କିଛି ବ୍ୟକ୍ତି ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ।ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ,କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ,ନୂଆପଡ଼ା ଫାଣ୍ଡି ଅଧିକାରୀ ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ଡ଼ଗ୍ ସ୍କୁୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଥିଲେ। ନାରାୟଣ ଙ୍କ ପୁଅ ଶିବ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ହତ୍ୟା ଘଟଣାର ୫ ଦିନ ପୂର୍ବେ ନାରାୟଣ ତାଙ୍କ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବା ସୁଯୋଗ ନେଇ ଘରେ ଥିବା ନାବାଳିକାଙ୍କୁ ଅସଦାଚରଣ କରିଥିଲେ।ନାବାଳିକା ଙ୍କ ମା ଘରକୁ ଫେରିବାପରେ ଝିଅ ସବୁ କଥା ତାଙ୍କୁ କହିଥିଲେ। ନାବାଳିକା ଙ୍କ ପରିବାର ଲୋକେ ନାରାୟଣ ଙ୍କୁ ଘଟଣା ପଚାରିବା ସହ ମାଡ଼ ମାରିଥିଲେ।ନାବାଳିକା ଙ୍କ ମା ଏନେଇ ତାଙ୍କ ସାନଭାଇ ଶୁଭରାଜ ବେହେରା ଙ୍କୁ ଜଣାଇଥିଲେ। ଭାଣିଜୀ ଙ୍କୁ ଘରେ ପଶି ଅସଦାଚରଣ କରିଥିବା ନାରାୟଣ ଙ୍କୁ ଶୁଭରାଜ ହତ୍ୟା କରିବା ପାଇଁ ତାଙ୍କ ସାଙ୍ଗ ଶଙ୍କର ଙ୍କ ସହ କଥା ହୋଇ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।ଅକ୍ଟୋବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬ ଟାରେ ଉଭୟେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ରେ ମିଶି କଥା ହେବା ପରେ ଚିକିଟି ଧାନଘର ଛକ କୁ ବାଇକ ରେ ଯାଇଥିଲେ।ସେଠାରେ ରାତ୍ରି ଭୋଜନ ସାରି ଉଭୟେ ବାଇକ ରେ ନୂଆପଡ଼ା ଗ୍ରାମ ନିକଟ ଧାନ୍ୟରାଶି ଶିବମନ୍ଦିର ରେ ରାତି କଟାଇଥିଲେ।ଶୁଭରାଜ ଙ୍କ ଭଉଣୀ ନୂଆପଡ଼ା ଗାଁ ର ଝୁମୁରି ବେହେରା ରାତି ପ୍ରାୟ ୩ ଟାରେ ନାରାୟଣ ନଦୀ କୁ ଯାଉଥିବା ନେଇ ଫୋନ ରେ ଭାଇ ଶୁଭରାଜ ଙ୍କୁ ଜଣାଇଥିଲେ।ନାରାୟଣ ନଦୀ ପଠା ରେ ଥିବା ତାଙ୍କ ବଗିଚା ରେ ପହଞ୍ଚି ପୂଜା ପାଇଁ ଫୁଲ ତୋଳିବା ପରେ ନଦୀ କୁ ଗାଧୋଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଶୁଭରାଜ ଏବଂ ଶଙ୍କର ନାରାୟଣ ଙ୍କୁ ଅତର୍କିତ ଭାବେ କାତି ରେ ହାଣି ଦେଇଥିଲେ। ତାଙ୍କ କଟା ଯାଇଥିବା ବାମ ହାତ କୁ ଉଭୟେ ଘଟଣାସ୍ଥଳ ଠାରୁ ପ୍ରାୟ ୧୨୪ ଫୁଟ ଦୂରରେ ଫୋପାଡି ବାଇକ ଯୋଗେ ବ୍ରହ୍ମପୁର ଚାଲି ଯାଇଥିଲେ।ସେଠାରୁ ସେମାନେ ଫେରାର ହୋଇଯାଇଥିଲେ। ପୋଲିସ ଉଭୟଙ୍କ ମୋବାଇଲ ଟ୍ରାକିଂ କରିବା ସହ ସିଡିଆର ସଂଗ୍ରହ କରିଥିଲେ। ଉଭୟେ ବାରମ୍ବାର ଲୋକେସନ ବଦଳାଉଥିବା କାରଣରୁ ପୋଲିସ ଟିମ୍ ସେମାନଙ୍କୁ କାବୁ କରି ପାରୁନଥିଲେ।ଶନିବାର ଶଙ୍କର ଅନ୍ୟ ରାଜ୍ୟ ରୁ ଫେରିଥିବା ଖବର ପଶି ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନ ମାନଙ୍କରେ ଚଢାଉ କରିଥିଲେ। ରବିବାର ସକାଳ ପ୍ରାୟ ୭ ଟାରେ ଶଙ୍କର ଗାଁ କୁ ଆସୁଥିବା ବେଳେ ତାଙ୍କୁ ପୋଲିସ ଟିମ୍ ସାଦା ପୋଷାକ ରେ ମାଡ଼ି ବସି ଥାନାକୁ ଉଠାଇ ନେଇଥିଲେ।ପରେ ପୋଲିସ ନିକଟରେ ସେ ସମ୍ପୂର୍ଣ ଘଟଣା ପ୍ରକାଶ କରିବା ସହ ନିଜ ଦୋଷ ସ୍ଵୀକାର କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ