ମନରେଗା ଫାର୍ମ ପୋଖରୀ ଖୋଳାରେ ମହାଦୁର୍ନୀତି : ୬ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା(ଏମ. ଜି.ଏନ.ଆର.ଜି.ଏସ.) ଅଧିନରେ ଫାର୍ମ ପୋଖରୀ ଖୋଳାରେ ମହାଦୁର୍ନୀତି ହୋଇଥିବା ନେଇ ଓଡିଶା ହାଇକୋର୍ଟରେ ଶଙ୍କରପୁର ଗ୍ରାମର ପ୍ରବୋଧ କୁମାର ମହାନ୍ତି ଓ ଅନ୍ୟମାନେ ଏକ ରିଟ୍ପିଟିସନ ଦାୟର କରିଥିଲେ। ସେହି ମାମଲାର ବିଚାର କରି ଓଡିଶା ହାଇକୋର୍ଟ କେନ୍ଦ୍ରାପଡା ଜିଲ୍ଲାପାଳ ଓ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ପାଇବାର ୬ସପ୍ତାହ ମଧ୍ୟରେ ଯୁଗ୍ମତଦନ୍ତ କରି ମନରେଗା ମାର୍ଗଦର୍ଶିକାରେ ଉଲ୍ଲଙ୍ଘନ ହୋଇଥିଲେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର- ଶଙ୍କରପୁର ଗ୍ରାମରେ୨୦୨୩-୨୪ ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଥିଲା। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏହି ପୋଖରୀ ଖୋଳାଯିବା ପାଇଁ ୧ଲକ୍ଷ ୮୩ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ହିତାଧିକାରୀ କୃଷ୍ଣଚନ୍ଦ୍ର ସାହୁ ଖାତା ନମ୍ବର ୬୦ ଓ ପ୍ଲଟ ନମ୍ବର- ୧୧୦ ଉପରେ ଏହି ପୋଖରୀ ଖୋଳିଥିଲେ। ଏହି ଜମିଟି ଗ୍ରାମଦେବୀ ମା’ଅନନ୍ତକୁମାରୀ ଠାକୁରାଣୀଙ୍କ ନାମରେ ରେକର୍ଡ ଭୁକ୍ତ ରହିଛି। ଏତଦ୍ବ୍ୟତିତ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଖୋଳାଯାଇଥିବା ଏହି ପୋଖରୀ ନିମନ୍ତେ ଜେସିବି ଓ ଟ୍ରାକ୍ଟର ପ୍ରଭୃତି ମେସିନ ବ୍ୟବହାର କରାଯାଇଥିଲା। ମନରେଗା ଯୋଜନାର ଉଦେଶ୍ୟକୁ ସଂପୂର୍ଣ୍ଣ ଭାବେ ପରାହତ କରାଯାଇ ଠାକୁରାଣୀଙ୍କ ଜମିରେ ମେସିନ ଲଗାଇ ପୋଖରୀ ଖୋଳାଯାଇଥିବା ଅଭିଯୋଗ କରିଥିଲେ। ଏଥିନିମନ୍ତେ ହିତାଧିକାରୀଙ୍କୁ ଏକଲକ୍ଷ ୧୭ହଜାର ୨୪ଟଙ୍କା ପ୍ରଦାନ କରାଯାଇଥିଲା ଯାହା ସଂପୂର୍ଣ୍ଣର୍ ଆଇନର ବିରୋଧାଚରଣ କରୁଛି। ଏସମ୍ପର୍କରେ ଅଭିଯୋଗକାରୀ ଶ୍ରୀ ମହାନ୍ତି ଜିଲ୍ଲାପାଳ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ, ଡେରାବିଶ ବ୍ଲକର ବିଡିଓ, ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦେଶକ, କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏଣୁ ଏହି ପୋଖରୀ ଖୋଳାରେ ମହାଦୁର୍ନୀତି ହୋଇଥିବା ନେଇ ଶଙ୍କରପୁର ଗ୍ରାମବାସୀଙ୍କ ପକ୍ଷରୁ ପ୍ରବୋଧ ମହାନ୍ତି ଓ ଅନ୍ୟମାନେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସିନଂ- ୧୯୮୨୩/୨୦୨୫ରେ ଏକ ମାମଲା ଦାୟର କରିଥିଲେ। ସେହି ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ୬ସପ୍ତାହ ମଧ୍ୟରେ ଯୁଗ୍ମ ତଦନ୍ତ ପୂର୍ବକ ମନରେଗା ମାର୍ଗଦର୍ଶିକାର ଉଲ୍ଲଙ୍ଘନ ହୋଇଥିଲେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


