ଘରୋଇ ବସ୍ ର ମନମାନି: ୭୦ଟି ମୋବାଇଲ ପେଟି ଗାୟବ ନେଇ ଥାନାରେ ଅଭିଯୋଗ
ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ର ମନମାନି ବଢିବାରେ ଲାଗିଛି। କେବ ଲୋକଙ୍କୁ ଉଚିତ ସିଟ ନଦେବା, କେବେ ଭଡା ଅଧିକ ନେବା ଭଳି ଅନେକ ଅଭିଯୋଗ ହେଉଥିବା ବେଳେ ବର୍ତ୍ତମାନ ପାର୍ସଲ ଆକାରରେ ଆସୁଥିବା ୭୦ଟି ମୋବାଇଲ ପେଟି ଗାୟବ ହୋଇଥିବା ଅଭିଯୋଗ ହୋଇଛି। ଏହି ମୋବାଇଲଗୁଡ଼ିକର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଘଟଣାକୁ ନେଇ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, “ମହାଦେବ” ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ମାଲକାନଗିରିକୁ ପ୍ରତିଦିନ ଯାତାୟାତ କରେ। ଭୁବନେଶ୍ୱର ବସ୍ଷ୍ଟାଣ୍ଡରେ ଏହି ବସର ଏକ ପାର୍ସଲ ସଂଗ୍ରହ କାଉଣ୍ଟର ରହିଛି, ଯେଉଁଠାରେ ଲୋକେ ବିଭିନ୍ନ ସାମଗ୍ରୀ ପଠାଇବା ପାଇଁ ପାର୍ସଲ ଜମା କରି ନିର୍ଦ୍ଧାରିତ ଦେୟ ପ୍ରଦାନ କରନ୍ତି। ପାର୍ସଲ ଗ୍ରହଣ ପରେ କାଉଣ୍ଟର ପକ୍ଷରୁ ଏକ ରସିଦ ମଧ୍ୟ ଦିଆଯାଏ। ଏହି ପ୍ରକ୍ରିୟା ଅନୁଯାୟୀ ଭୁବନେଶ୍ୱରର “ଡିଲାଇଟ ଡିଷ୍ଟ୍ରିବ୍ୟୁଟର” ପକ୍ଷରୁ ମାଲକାନଗିରିର “ଡିଜିଟାଲ ୱାର୍ଲ୍ଡ” ନାମକ ସଂସ୍ଥାକୁ ୭୦ଟି ନୂତନ ମୋବାଇଲ ଏକ ପେଟିରେ ପ୍ୟାକ୍ କରି ବସ୍ ପାର୍ସଲ କାଉଣ୍ଟରରେ ଜମା କରାଯାଇଥିଲା। ଏଥିପାଇଁ ୨୦୦ ଟଙ୍କା ଦେୟ ଦିଆଯାଇଥିବା ବେଳେ ଏକ ରସିଦ ମଧ୍ୟ ବସ ପାର୍ସଲ କାଉଣ୍ଟର ପକ୍ଷରୁ ପ୍ରଦାନ କରାଯାଇଥିଲା। କିନ୍ତୁ ବସ୍ଟି ମାଲକାନଗିରି ପହଞ୍ଚିବା ପରେ ପାର୍ସଲରେ ଥିବା ମୋବାଇଲ ପେଟି ମିଳିନଥିଲା। ଏନେଇ ବସ୍ କର୍ମଚାରୀଙ୍କୁ ବାରମ୍ବାର ପଚାରାଉଚରା କରାଯାଇଥିଲେ ମଧ୍ୟ କୌଣସି ସଠିକ ତଥ୍ୟ ମିଳିନଥିଲା। ପାର୍ସଲ ଆଣିବା ବାବଦକୁ ଟଙ୍କା ଦିଆଯାଇଥିବା ଓ ବସ ପାର୍ସଲ କାଉଣ୍ଟର ପକ୍ଷରୁ ରସିଦ ମିଳିଥିବା କଥା କହିବା ପରେ ମଧ୍ୟ ଖାମ ଖିଆଲି ଢଙ୍ଗରେ ବସ କର୍ମଚାରୀ ମାନେ କୌଣସି ଗୁରୁତ୍ତ୍ୱ ଦେଇନଥିବା ବେଳେ “ଡିଜିଟାଲ ୱାର୍ଲ୍ଡ”ର ମାଲିକା ମୌସୁମୀ ସାହା ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବସ୍ଟିକୁ ଅଟକ ରଖିବା ସହ ବସ୍ କର୍ମଚାରୀଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରିଗାନ କିନଡୋ ସୂଚନା ଦେଇଛନ୍ତି। ତେବେ ଏହି ବସଟି ନାମରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଥିବା ବେଳେ କର୍ମଚାରୀଙ୍କୁ କିଛି କହିଲେ ଦାଦାଗିରି ଦେଖାଉଥିବା ଅଭିଯୋଗ ରହିଥିବା ବେଳେ ସାଧାରଣରେ ବସ ମାଲିକ ଓ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ହୋଇଛି।


