ମୌଦା ଗ୍ରାମକୁ ନୂତନ ପଞ୍ଚାୟତ ମାନ୍ୟତା ପ୍ରଦାନ ନେଇ ବିଡ଼ିଓଙ୍କୁ ଦାବିପତ୍ର
ହାଟଡ଼ିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୌଦା ଗ୍ରାମକୁ ନୂତନ ପଞ୍ଚାୟତର ମାନ୍ୟତା ଦେବାକୁ ୩୦ରୁ ଉର୍ଦ୍ଧ ଗ୍ରାମବାସୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ସୂଚନା ଅନୁଯାଇ ଉକ୍ତ ଗ୍ରାମଟି ସଢ଼ା ଗ୍ରାମପଞ୍ଚାୟତ ଅଧୀନରେ ଅଛି । ଏହା ୧୦ରୁ ଉର୍ଦ୍ଧ ରାଜସ୍ବ ଗ୍ରାମକୁ ନେଇ ଗଠନ ହୋଇଥିବା ବେଳେ ଜନସଂଖ୍ୟା ଦୃଷ୍ଟିରୁ ଏହି ପଞ୍ଚାୟତଟି ଏକ ଜନବହୁଳ ପଞ୍ଚାୟତ। ମୌଦା ଗ୍ରାମର ଲୋକସଂଖ୍ୟା ୨ ହଜାରରୁ ଉର୍ଦ୍ଧ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହାର ଦୂରତା ୮କିଲୋମିଟର ରୁ ଉର୍ଦ୍ଧ। ଫଳରେ ମୌଦା ଗ୍ରାମଟି ଅବହେଳିତ ଅବସ୍ଥାରେ ରହୁଛି। ପଞ୍ଚାୟତକୁ ଯାଉଥିବା ସୁବିଧା ସୁଯୋଗ ପାଇ ପାରୁ ନାହାନ୍ତି। ଭତ୍ତା ଗଣ୍ଡେ ପାଇଁ ବୁଢା ବୁଢ଼ୀ ମାନେ ଏତେଦୁରକୁ ଆସି ପାରୁ ନାହାନ୍ତି। ତେଣୁ ସଢା ପଞ୍ଚାୟତ ର ମୌଦା, ଯନ୍ତାଳପଦୀ, ରଘୁନାଥପୁର, ପଦାରୂଖା, ମିଠିଗାଁ ଓ ସୋ ସୋ ପଞ୍ଚାୟତର ବେରୁଣପଦୀ, ଅଁଳାଗଡିଆ, ଭରଡ଼ାଗଡିଆ, ବାଲିଆ, କଖାରୁଗଡିଆ ଆଦି ଗ୍ରାମକୁ ନେଇ ମୌଦା ପଞ୍ଚାୟତ ଗଠନ ହେଲେ ଏହି ସବୁ ଗ୍ରାମର ଲୋକମାନେ ଉପକୃତ ହୋଇ ପାରିବେ ବୋଲି ଉପରୋକ୍ତ ଗ୍ରାମର ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏଥିପାଇଁ ସେମାନେ କେନ୍ଦୁଝର ଜିଲ୍ଲାପାଳ, ପଞ୍ଚାୟତରାଜ ସଚିବ,ପଞ୍ଚାୟତରାଜ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ବେଳେ ଆଜି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଦାବିପତ୍ର ପ୍ରଦାନ ବେଳେ ଦୁର୍ଯ୍ୟୋଧନ ଜେନା, ନାରଣ ଜେନା, ସୁବୋଧ ସାହୁ, ନିରାକାର ଜେନା, ଧନେଶ୍ୱର ସାହୁ, ନିର୍ମଳ ସେଠି, ହରମୋହନ ରାଉତ, ଦାଶରଥି ଜେନା, ପୁଷ୍ପଲତା ଜେନା, ସସ୍ମିତା ସାହୁ, କବିତା ସେଠି, ମଣିଭଦ୍ର ଜେନା, ଜଗବନ୍ଧୁ ନାୟକ, ସୁଧାଂଶୁ ପଢିଆରି, ପ୍ରଫୁଲ ଚନ୍ଦ ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।


