କେନ୍ଦ୍ରାପଡା ବାଲିଯାତ୍ରା ଉଦଯାପିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍ଯାପନି ଉତ୍ସବ ସଭାପତି ପ୍ରଦିପ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସଂଞ୍ଜୟ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ ଏହି ଉତ୍ସବକୁ ସଂଯୋଜନା କରିଥିଲେ। ଏଥିରେ ବିଶିଷ୍ଟ ଅତିଥିଭାବେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ଯୋଗଦେଇ ମାନବୀୟ ଗୁଣାବଳିର ବିକାଶ ଘଟିଲେ କେନ୍ଦ୍ରାପଡାର ବୌଦ୍ଧିକ ବିକାଶ ଘଟିବ ଏବଂ କେନ୍ଦ୍ରାପଡାର ଜନ୍ମିତ ତଅପୋଇର ଆତ୍ମା ଶାନ୍ତି ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ଅତ୍ୟାଧୁନିକ ଯୁଗର ଅତ୍ୟାଚାରିତ ତଅପୋଇମାନେ ମଧ୍ୟ ଶାନ୍ତି ଲାଭ କରିପାରିବେ ବୋଲି ଶ୍ରୀ’ମା କହିଥିଲେ। ମୁଖ୍ୟଅତିଥି ଭାବେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କହିଲେ ବାଲିଯାତ୍ରା ଆମ ଐତିହ୍ୟ ଓ ପରମ୍ପରାକୁ ଉଦଜୀବିତ ରଖେ । ସମ୍ମାନିତ ଅତିଥି ଭାବେ ଉତ୍କଳ ସାହିତ୍ୟ ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ସମାଜସେବୀ ଯୁଗଳକିଶୋର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ସମାଜସେବୀ ଯୁଗଳକିଶୋର ଦାସଙ୍କୁ ଜିଲ୍ଲା ଶ୍ରେଷ୍ଟ ସ୍ୱର୍ଣ୍ଣକାର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଉପସଭାପତି ଧିରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଶୁଭାଂଶୁ ଦାସ, ସତ୍ୟବ୍ରତ ସିଂହ, ମୃତ୍ୟୁଞ୍ଜୟ ସାହୁ, ପିତବାସ ବେହେରା, କାକୁଲି ମଲ୍ଲିକଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିକ୍ରମ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।


