ଗୁଣପୁରରେ ଚିରା ନୋଟ୍ ପରିବର୍ତନ ମେଳା ଅଢେଇ ଲକ୍ଷ ଟଙ୍କା ଖୁଚୁରା ବଣ୍ଟନ
ଗୁଣପୁର,(ୱାଇଏନଏସ): ଗୁଣପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା
ପକ୍ଷରୁ ମୁଦ୍ରା ବିନିମୟରେ ପୁରୁଣା ନୋଟ୍ ପରିବର୍ତନ ମେଳା ଆୟୋଜିତ ହୋଇଯାଇଛି। ଜେଜେ ଛକ ନିକଟରେ ସ୍ବତନ୍ତ୍ର ଶିବିର ଆୟୋଜନ କରି ମୁଦ୍ରା ବିତରଣ କରାଯାଇଥିଲା। ମୁଖ୍ୟ ଶାଖା ପରିଚାଳକ ସୁରେନ୍ଦ୍ର କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ବଜାରରେ ଖୁଚୁରା ପଇସା ଅଭାବ ଦୂର କରିବା ପାଇଁ ଏହି ମେଳା ଆୟୋଜନ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହାଦ୍ବାରା ବଜାରରେ ସହଜରେ କାରବାର କରି ଲୋକେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ବ୍ୟାଙ୍କର ଚିଫ୍ ଏସୋସିଏଟ ଏସ୍. ମୋହନ, ଆରବିଆଇ ମ୍ୟାନେଜର ରଶ୍ମିରଞ୍ଜନ ସାହୁ, ସହ ପରିଚାଳକ ଉମାକାନ୍ତ ନାୟକ, ବିତ୍ତ ଅଧିକାରୀ ନୀଳାଚଳ ସ୍ବାଇଁ, ଜ୍ୟୋତିପ୍ରକାଶ ତ୍ରିପାଠୀ, ଓମକାର ଆଶୁତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବ୍ୟବସାୟୀ ନିଜ ଆବଶ୍ୟକ ମୁତାବକ ୨୦ରୁ ୨ଟଙ୍କା ପର୍ଯ୍ୟନ୍ତ ଖୁଚୁରା ଟଙ୍କା ନେଇଥିଲେ | ମୋଟ ଅଢେଇ ଲକ୍ଷ ଟଙ୍କା ଖୁଚୁରା ବଣ୍ଟନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ସହରରେ ଖୁଚୁରା ପଇସା ଅଭାବ ଦେଖାଯିବା ପରେ ପୂର୍ବରୁ ବ୍ୟବସାୟୀ ମାନେ ଗ୍ରହଣ କରୁନଥିବା ୧୦ ଟଙ୍କା ମୁଦ୍ରାକୁ ଏବେ କିଛି ଦିନ ହେଲା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।


