ରାଜ୍ୟ ସୂଚନା କମିଶନଙ୍କ ମନମୁଖି ଓ ଆଇନ ବିରୋଧୀ କାର୍ଯ୍ୟର ପ୍ରତିବାଦ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଜ୍ୟ ସୂଚନା କମିଶନଙ୍କ ଯାବତୀୟ ମନମୁଖୀ ଓ ଆଇନ ବିରୋଧୀ କାର୍ଯ୍ୟ, ସୂଚନା ଆଇନକୁ ବରବାଦ କରିବା ପାଇଁ କମିଶନଙ୍କ ଗଭୀର ଷଡ଼ଯନ୍ତ୍ର ଓ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନରେ ଚରମ ବିଫଳତା ପ୍ରତିବାଦରେ ଓଡିଶା ସୂଚନା ଅଧିକାର ଅଭିଯାନ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଆବାହକ ପ୍ରତାପ କୁମାର ମହାନ୍ତିଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସୂଚନା କମିଶନଙ୍କ କେସ ଅର୍ଡରକୁ ପୋଡାଯାଇଥିଲା। ପ୍ରଶାସନରେ ସ୍ୱଚ୍ଛତା ଓ ଉ ରାଦାୟୀତ୍ୱ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସୂଚନା ଅଧିକାର ଆଇନ୍ ପ୍ରଣୟନ କରାଯାଇଛି । ଏହା ସହିତ ଏହି ଆଇନ୍ ନାଗରିକମାନଙ୍କୁ ସରକାରୀ ଦପ୍ତରରୁ ସୂଚନା ପାଇବାର ଅଧିକାର ଦେଇଛି । ସୂଚନା ଆଇନ୍‌ର ୨୦ ବର୍ଷର କାର୍ଯ୍ୟକାରୀତାରେ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସଂପର୍କୀତ ଅନେକ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ଏହି ଆଇନ୍‌କୁ ବ୍ୟବହାର କରି ସାଧାରଣ ଲୋକେ ନିଜ ହକ୍ ଓ ଅଧିକାର ପାଇଁ ଲଢ଼େଇ କରୁଛି। ଅନେକ ସାମାଜିକ କର୍ମୀ ବହୁ ବଡ଼ ବଡ଼ ଦୁର୍ନୀତି ଲୋକଲୋଚନକୁ ଆଣି ପାରିଛନ୍ତି ଏବଂ ଦୁର୍ନୀତି ବିରୁଦ୍ଧରେ ସେମାନଙ୍କ ଲଢ଼େଇ ଜାରି ରଖୁଛନ୍ତି। ସୂଚନା ଅଧୂକାର ଆଇନରେ ସୂଚନା କମିଶନଙ୍କୁ ଅନେକ କ୍ଷମତା ପ୍ରଦାନ କରାଯାଇଛି। ଯଥା ଆଇନ୍‌ର ଧାରା ୧୮, ୧୯ ଓ ୨୦ ଅନୁଯାୟୀ ସୂଚନା କମିଶନ ସମସ୍ତ ଅପିଲ ଅଭିଯୋଗର ଶୁଣାଣୀ କରି ନାଗରିକମାନଙ୍କୁ ସୂଚନା ପ୍ରଦାନ କରାଇବେ। ଆବଶ୍ୟକ ସ୍ଥଳେ ସୂଚନା ପ୍ରଦାନ ଅବହେଳା ସଂପର୍କରେ ତଦନ୍ତ କରାଇବେ। ଆଇନ ଉଲଙ୍ଘନକାରୀ ପି.ଆଇ.ଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କ୍ଷତିଗ୍ରସ୍ତ ନାଗରିକମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। ସୂଚନା ଅଧିକାର ଆଇନ୍‌ର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ସରକାରଙ୍କୁ ସୁପାରିଶ କରିବେ। କିନ୍ତୁ ନବୀନ ସରକାରରେ ସୂଚନା ଅଧିକାର ଆଇନକୁ ବରବାଦ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଯାବତୀୟ ଷଡ଼ଯନ୍ତ୍ର ସହ ନିଜର କିଛି ବୋଲକରା ଓ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସୂଚନା କମିଶନରେ ନିଯୁକ୍ତି କରୁଥିଲେ। ଏହା ବିରୁଦ୍ଧରେ ଲଗାତର ଓଡ଼ିଶା ସୂଚନା ଅଧୁକାର ଅଭିଯାନ ଆନ୍ଦୋଳନ କରି ଆସିଥୁଲା ଓ ସୂଚନା ଅଧୁକାର ଆଇନ୍‌ର କାର୍ଯ୍ୟକାରୀତାକୁ ତ୍ୱରାନ୍ୱିତ କରିବାରେ ସକ୍ଷମ ହୋଇଥିଲା। ନବୀନ ସରକାରର ପତନ ପରେ ୨୦୨୪ରେ ବିଜେପି ସରକାର ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନର ନାରା ଦେଇ କ୍ଷମତାକୁ ଆସିଲେ ଏବଂ ଗତ ଏପ୍ରିଲ ୨୦୨୫ରେ ମୁଖ୍ୟ ସୂଚନା କମିଶନର ଓ ତିନି ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଲେ। ଆଶା କରାଯାଉଥୁଲା ସୂଚନା କମିଶନ ନିଯୁକ୍ତି ହେବା ଦ୍ୱାରା ଅପିଲକାରୀ ନାଗରିକମାନେ ନ୍ୟାୟ ପାଇବେ, ସୂଚନା ପ୍ରଦାନ ବ୍ୟବସ୍ଥା ତ୍ୱରାନ୍ୱିତ ହେବ, କିନ୍ତୁ ସୂଚନା କମିଶନଙ୍କ ଛଅ ମାସର କାର୍ଯ୍ୟକାଳରେ ସୂଚନା କମିଶନରମାନଙ୍କ ଅପାରଗତା ଓ ନାଗରିକମାନଙ୍କ ପ୍ରତି କଦର୍ଯ୍ୟ ବ୍ୟବହାର, ଆଇନ୍ ସଂପର୍କରେ ଅଜ୍ଞତା ପଦାକୁ ଆସିବାରେ ଲାଗିଛି। ନବନିଯୁକ୍ତ ସୂଚନା କମିଶନରମାନଙ୍କ ଆଇନ୍ ସଂପର୍କରେ ଧାରଣା ନାହିଁ କି ଅଭିଜ୍ଞତା ମଧ୍ୟ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଥିବା କିଛି ସ୍ୱାର୍ଥନ୍ୱେଷୀ ଅଧିକାରୀଙ୍କୁ ଧରାଧରି କରି ସେମାନେ ସୂଚନା କମିଶନରେ ନିଯୁକ୍ତି ପାଇଛନ୍ତି। ଏହି ବ୍ୟକ୍ତିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିହ୍ନି ଛନ୍ତି କି ନାହିଁ ତାହା ସନ୍ଦେହପୂର୍ଣ। ତେଣୁ ସେମାନଙ୍କୁ ବହିଷ୍କାର କରାଯାଇ ନୂତନ କମିଶନଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ ସମୟରେ ଓଡିଶା ସୂଚନା ଅଧିକାର ଅଭିଯାନର ହୃଶିକେଶ ପାତ୍ର, ଭାଗିରଥୀ ଜେନା, ଚିତ୍ରସେନ ମଣ୍ଡଳ, ଚିନ୍ମୟ ବସନ୍ତିଆ, ଜ୍ୟୋତିରଞ୍ଜନ ବେହେରା,ସୋମନାଥ ବାରିକ, ରମାକାନ୍ତ ମଣ୍ଡଳ, ପ୍ରମୋଦ କୁମାର ଦାସ, ସାଗର ଜେନା, ହେମନ୍ତ ବେହେରା, କାଳନ୍ଦି ଚରଣ ସାହୁ, ବିନୟ ମଲିକ, ଅମିତାଭ ଚାନ୍ଦ ପ୍ରମୁଖ ଶତାଧିକ ସୂଚନା ଅଧିକାର କର୍ମୀ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ