ପ୍ରଶାସନିକ ଅଧିକାରୀ ଭାବେ ଗୌରବ ଆଣିଲେ ସୁନ୍ଦର ମାଧବ ପାଢ଼ୀ
ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଚିରିକିପଡା ଶାସନ ଗ୍ରାମର ସୁନ୍ଦର ମାଧବ ପାଢ଼ୀ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଭାବେ ପଦୋନ୍ନତି ପାଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏନେଇ ନଭେମ୍ବର ମାସ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ମୋଟ ୮ ଜଣ ଅଧିକାରୀ ଏହି ଦୌଡ଼ରେ ସାମିଲ ଥିବା ବେଳେ ସୁନ୍ଦର ମାଧବଙ୍କ ସମେତ ଅନ୍ୟ ଜଣେ ଏହି ପଦବୀ ପାଇଁ କୃତିତ୍ୱ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଚିରିକିପଡା ଶାସନ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ପାଢ଼ୀ(ବାପା) ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭାଗ୍ଯଲତା ସାମନ୍ତରା (ମାଆ)ଙ୍କ ଏକମାତ୍ର ପୁତ୍ର ସନ୍ତାନ ଅଟନ୍ତି ସୁନ୍ଦର ମାଧବ ପାଢ଼ୀ। ସୁନ୍ଦର ମାଧବ ଚିରିକିପଡା ଶାସନ ହାଇସ୍କୁଲରୁ ଦଶମ ଶ୍ରେଣୀର ପାସ କରିଥିବା ବେଳେ ୨୦୦୨ ମସିହାରେ ରାଉରକେଲା ସାରଙ୍ଗ ଯାନ୍ତ୍ରିକ କଲେଜରୁ ସିଭିଲ ଇଞ୍ଜିନିୟର ସାରିବା ପରେ ୨୦୦୭ ମସିହାରେ ଓପି୍ଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରୀ ପାଇଥିଲେ। ସେ ପୁରୀରେ ରୋଡ଼ ଏବଂ କୋଠାବାଡ଼ି ବିଭାଗରେ ଜଗନ୍ନାଥ ପ୍ରକଳ୍ପରେ ଜିଲ୍ଲା ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ବର୍ତ୍ତମାନ ସେ ଖୋର୍ଦ୍ଧା ଜିଲ୍ଲା ରାସ୍ତା ଓ କୋଠାବାଡ଼ି ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି। ସୁନ୍ଦର ମାଧବଙ୍କ ବାପା ବାଳକୃଷ୍ଣ ପାଢ଼ୀ ଓ ମା ଭାଗ୍ଯଲତା ସାମନ୍ତରା ଉଭୟ ଙ୍କ ଠାରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସହ ଛାତ୍ର ଜୀବନରୁ ହିଁ ପରିଶ୍ରମୀ ଓ ମେଧାବୀ ଥିଲେ। ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ଯ ଏତେବଡ ପଦବୀର ଅଧିକାରୀ ହୋଇଥିବାରୁ ଅଞ୍ଚଳରେ ଖୁସି ଦେଖିବାକୁ ମିଳିଛି। ସୁନ୍ଦର ମାଧବ ରାଜ୍ୟ ସରକାରଙ୍କ କୈାଣସି ବିଭାଗର ନିର୍ଦ୍ଦେଶକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ନିଜ ପଦ ମର୍ଯ୍ୟାଦାର ଉତ୍ତର ଦାୟିତ୍ବକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସାମର୍ଥ୍ୟ ପ୍ରଦାନ କରିବା ଏବଂ ଏହି ନୂତନ ଯାତ୍ରାରେ ସେ ସଫଳତାର ଶୀର୍ଷକୁ ସ୍ପର୍ଶ କରନ୍ତୁ ବୋଲି କାମନା କରିଛନ୍ତି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକଙ୍କ ଓ ଅଞ୍ଚଳବାସୀ।


