ଦୁଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ପ୍ରଶାସନ
ହାଟଡିହି (ଓ୍ବାଇଏନଏସ) : ଦୁଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପ୍ରଶାସନ। ଆଜି ଜିଲ୍ଲା ଶିଶୁ ସୁରକ୍ଷା ସମିତି ପ୍ରଶାସନ ର ସହଯୋଗରେ କାଠିଆସରା ନିକଟରୁ ଏହି ଦୁଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ହାଟଡିହି ପଞ୍ଚାୟତ ଗୋପ ଗ୍ରାମର ଜଣେ ବ୍ୟକ୍ତି ଭଦ୍ରକ ଅଞ୍ଚଳର ଦୁଇ ନାବାଳକଙ୍କୁ ଆଣି ଘୁଷୁରୀ ଚରାଇବା କାମରେ ନିୟୋଜିତ କରିଥିଲେ। ଏନେଇ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ପ୍ରକଳ୍ପ ସଂଯୋଜକ ଉଷାରାଣି ମହାନ୍ତ, ସଦର ବ୍ଲକର ସହକାରୀ ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତି, ବ୍ଲକ ଶ୍ରମ ଅଧିକାରୀ ଶାଶ୍ୱତ ପଲେଇ, ମହିଳା ଓ ଶିଶୁ ବିକାଶ ବିଭାଗ ସୁପର ଭାଇଜର ରେଣୁବାଳା ଜେନା ଏବଂ ନନ୍ଦିପଦା ଥାନା ଆଇ.ଆଇ.ସି ଧର୍ମେନ୍ଦ୍ର କୁମାର ଶାନ୍ତି, ହମରା ବଚପନ ର ଜିଲ୍ଲା ସଂଯୋଜକ ହୃଦାନନ୍ଦ ସେନାପତି ପ୍ରମୁଖ ଗୋପ ଗ୍ରାମରେ ଚଢ଼ାଉ କରିଥିଲେ। ମାତ୍ର ଶିଶୁ ଶ୍ରମିକ ଦୁଇଜଣ ଘୁଷୁରୀ ଚରାଇବାକୁ ଗୋପାଳପୁର ଅଞ୍ଚଳକୁ ଯାଇଥିବା ଜାଣିବା ପରେ ଅଧିଜାରୀ ମାନେ ସେହି ରାସ୍ତାରେ ଯାଇ କାଠିଆସରା ନିକଟରୁ ଦୁଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ହାଟଡିହି ବ୍ଲକ ଅଞ୍ଚଳରେ ଏପରି ଅନେକ ଶିଶୁ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ଘରୋଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯିବା କୁ ଦାବି ହେଉଛି।


