ଦମ୍ପତ୍ତିଙ୍କୁ ଆକ୍ରମଣ ମାମଲା ; ମାଆ-ପୁଅ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଏସ୍. ଚାଞ୍ଚଡାପଲ୍ଲୀ ଗ୍ରାମରେ ଦମ୍ପତ୍ତିଙ୍କୁ ଆକ୍ରମଣ ମାମଲାରେ ପୁଲିସ ଗ୍ରାମର ଅଭିଯୁକ୍ତ ମାଆ ଓ ପୁଅକୁ ସୋମବାର ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ  ଜାଇଲ ମଣ୍ଡଳ ଏବଂ ତାଙ୍କ ପୁଅ ଚେରୁ ମଣ୍ଡଳ ।  ଅଭିଯୁକ୍ତ ଚେରୁ ପୂର୍ବରୁ ଗ୍ରାମର ଗଗନ ପାତ୍ରଙ୍କ ନିକଟରେ କାମ କରୁଥିଲା । ଗତ କିଛିଦିନ ଧରି ଚେରୁ କାମକୁ ଆସୁନଥିଲେ । ଗତ  ଶନିବାର ସନ୍ଧ୍ୟାରେ ଗଗନ ଅଭିଯୁକ୍ତ ଚେରୁ ଙ୍କ ଘରକୁ ଯାଇ କାମକୁ ନ ଆସିବାର କାରଣ ପଚାରିଥିଲେ । ଏଥିରେ ଚେରୁଆ ଉତ୍ତେଜିତ ଗଗନ ଙ୍କୁ ଗାଳିଗୁଲଜ କରିବା ସମୟରେ ସାହି ପଡୋଶୀଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇ ଗଗନ ଘରକୁ ଫେରିଥିଲେ । ତେବେ ରାତି ପ୍ରାୟ ସାଢେ ୧୦ ଟା ରେ ଚେରୁ ଓ ତାଙ୍କ ମାଆ ଜାଇଲ ପୁଣିଥରେ ଗଗନଙ୍କ ଘରକୁ ଯାଇ କବାଟ ବାଡେଇଥିଲେ । ଏହାପରେ ଗଗନ କବାଟ ଖୋଲି କାହିଁକି ଆସିଛ ବୋଲି ପଚାରିବାରୁ ଉଭୟ ମାଆ ଓ ପୁଅ ଗଗନଙ୍କୁ ଆକ୍ରମଣ କରିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଚୋବାଇ ରକ୍ତାକ୍ତ କରି ଦେଇଥିଲେ। ଏହାଦେଖି ଗଗନଙ୍କ ଗର୍ଭବତୀ ସ୍ତ୍ରୀ ରାଜେଶ୍ବରୀ ପାତ୍ର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଲାତ ଗୋଇଠା ମାରିଥିବା ନେଇ ରବିବାର ସକାଳେ ଗଗନ ଥାନାରେ ଏତଲା ଦେଇଥିଲେ । ଏନେଇ ଥାନା କେସ୍ ନଂ. ୪୫୪/୨୫ ପ୍ରକାରେ ମାମଲା ରୁଜୁ ହେବାପରେ ସୋମବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ରାଜ କିଶୋର ପାତ୍ର ଅଭିଯୁକ୍ତ ଉଭୟ ମାଆ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ