ସରକାରୀ ଉନ୍ନୟନ ଯୋଜନାର ସଫଳତା ନିମନ୍ତେ ତାଲିମ ଶିବିର 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସଭାଗୃହ ପରିସରରେ ଶୁକ୍ରବାର ବିଭିନ୍ନ ସରକାରୀ ଯୋଜନାର ସଫଳତା ନିମନ୍ତେ ବ୍ଳକସ୍ତରୀୟ ସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲା  ଯୋଜନା ଓ ପରିଦର୍ଶନ ୟୁନିଟ ତରଫରୁ ଆୟୋଜିତ ଏହି ଶିବିରକୁ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଅଶୋକ କୁମାର ଦାସ ସଂଯୋଜନା କରିଥିଲେ । ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ , ଏବିଡିଓ ଉମେଶ ଚନ୍ଦ୍ର ସେଠୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ଶତପଥୀ , ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ଜଗନ୍ନାଥ ବିଶ୍ବାସ , ପାୟଲ ଜ୍ୟୋତି ଲଗ୍ନା , ଇନ୍ଦ୍ରଜିତ ମଲ୍ଲିକ , ଜିପିଡିଓ ରୋଜାଲିନ ଦଳାଇ ପ୍ରମୁଖ ଶିବିର ରେ ମଞ୍ଚାସିନ ଥିଲେ । ପରିବେଶର ସୁରକ୍ଷା , ଅର୍ଥନୈତିକ ଅସମାନତା ହ୍ରାସ ଏବଂ ସମସ୍ତଙ୍କ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ଶିବିରରେ ଆଲୋଚନା କରାଯାଇଥିଲା । ଏପରିକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ପ୍ରତ୍ୟେକ ଗ୍ରାମାଞ୍ଚଳରେ କିଭଳି ପହଞ୍ଚି ପାରିବ ସେ ନେଇ ଶିବିରରେ ମତ ପ୍ରକାଶ ପାଇଥିଲା।  ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣ  , କ୍ଷୁଧା ସମସ୍ୟା ବିଲୋପ କରିବା ସହ ଖାଦ୍ୟ ସୁରକ୍ଷା ତଥା ଉନ୍ନତ ପୃଷ୍ଟିକର ଖାଦ୍ୟ ହାସଲ ଓ ନିରନ୍ତର ଭାବେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା , ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ , ଗୁଣାତ୍ମକ ଶିକ୍ଷା , ଲିଙ୍ଗଗତ ସମାନତା , ସୁସ୍ଥ ଜଳ ଓ ପରିମଳ , ସମସ୍ତଙ୍କୁ ସୁଲଭ ଦରରେ ବିଦ୍ୟୁତ ଶକ୍ତି ଯୋଗାଇବା , ଭଲ ଚାକିରୀ ଏବଂ ସମସ୍ତଙ୍କ ଅର୍ଥନୈତିକ ବିକାଶ , ଶିଳ୍ପ ଓ ଉଦ୍ଭାବନ ଏବଂ ଭିତ୍ତିଭୂମି ପ୍ରତିଷ୍ଠା ଭଳି ୧୭ ଟି ଯୋଜନା ଉପରେ ଆଲୋକପାତ କରାଯାଇ ନିର୍ବାଚିତ ପ୍ରତିନିଧି ଓ ସାଧାରଣ ଜନତା ଙ୍କୁ ସଚେତନତା କରାଇବା ନିମନ୍ତେ ଏହି ଶିବିର ଉଦ୍ଦିଷ୍ଟ ବୋଲି କୁହାଯାଇଥିଲା। ଶିବିରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ , ବ୍ଲକ ଏମ.ପି  ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ , ସରପଞ୍ଚ ବିଜୟ ପ୍ରଧାନ , ଲିଙ୍ଗରାଜ ଦୋରା , ଗୀତାଞ୍ଜଳି ଜାନୀ , ସୀତାରାମ ସେଠୀ , ଗୈାରୀ ବିଷୋୟୀ , ଭାରତୀ ବ୍ରହ୍ମା , ସନ୍ଧ୍ୟା ରାଣୀ ସୁବୁଦ୍ଧି , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ଚିତ୍ରସେନ ଗୈାଡ , ବିପ୍ରଚରଣ ସେଠୀ ଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି , ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ , ପିଇଓ , ଏଡିଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।  

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ